ନୂଆପଡ଼ା-ବରଗଡ଼ ରେଳଲାଇନକୁ ମଞ୍ଜୁରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମ ଓଡ଼ିଶାର ଦୀର୍ଘଦିନର ଦାବି ୧୪୨ କିମି ପରିମିତ ବରଗଡ଼-ନୂଆପଡ଼ା ରେଳଲାଇନ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ପୃଥକ୍ ପତ୍ର ଲେଖି ଜଣାଇଛନ୍ତି। ରେଲୱେ ବୋର୍ଡ଼ ନିର୍ଦ୍ଦେଶକ ଡି.କେ ମିଶ୍ର ମଧ୍ୟ ଏ ସମ୍ପର୍କରେ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌(ଓଆରଆଇଡିଏଲ)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ବରଗଡ଼ ରୋଡ୍ ଷ୍ଟେସନରୁ ନୂଆପଡ଼ା ରୋଡ୍ ଷ୍ଟେସନ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ନୂଆ ରେଳ ଲାଇନ ଅନ୍ତର୍ଗତ ମୋଟ ୧୪ଟି ଷ୍ଟେସନ ରହିବ।

ଏହି ନୂଆ ରେଳଲାଇନର ନିର୍ମାଣ ନେଇ ଗତବର୍ଷ ଜୁଲାଇ ୩୦ ତାରିଖରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଅଗଷ୍ଟ ୫ ତାରିଖରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ପୃଥକ୍ ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ଚିଠି ଲେଖିଥିଲେ। ଉଭୟ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଏନେଇ ବ୍ୟକ୍ତିଗତ ଆଲୋଚନା ମଧ୍ୟ କରିଥିଲେ। ଶେଷରେ ପ୍ରକଳ୍ପଟିକୁ ମଞ୍ଜୁରୀ ମିଳିିଥିବାରୁ ଉଭୟ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଓଆରଆଇଡିଏଲ ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟକୁ ପ୍ରସ୍ତାବ ପଠାଇଥିଲା। ଏବେ ସମାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସହ ପ୍ରାରମ୍ଭିକ ପୁଞ୍ଜି ବିନିଯୋଗ ପାଇଁ ଅନୁମତି ଦିଆଯାଇଛି। ତେବେ ଏହି ରେଳଲାଇନ ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଜମି ଯୋଗାଇବାକୁ କୁହାଯାଇଛି।