ଟିକା ଯୋଗାଣରେ ପାତର ଅନ୍ତର ପ୍ରସଙ୍ଗ : କରୋନା କାଳରେ ହୀନ ରାଜନୀତି କରୁଛି କଂଗ୍ରେସ: ଅପରାଜିତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସାଂସଦ ତଥା ବିଜେପି ଜାତୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ବୁଧବାର   କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ମହାମାରୀ କରୋନାର ବିପଦ ଘଡ଼ିରେ ଭାରତୀୟ ଜାତୀୟ କଂଗ୍ରେସ ହୀନ ରାଜନୀତି କରୁଛି ବୋଲି ସେ ଦୋଷାରୋପ କରିଛନ୍ତି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀକୁ ଏକ ଚିଠି ଲେଖିଥିଲେ। ଏହାର ଉଦାହରଣ ରଖି ସଙ୍କଟ ସମୟରେ କଂଗ୍ରେସ ଦଳ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅଶୋଭନୀୟ ଆଚରଣ କରୁଛି ବୋଲି ଅପରାଜିତା କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରୁ ପ୍ରତିଦିନ ଦେଶର ସବୁ ରାଜ୍ୟକୁ ଟିକା ପଠାଯାଉଛି। ହେଲେ କଂଗ୍ରେସ ଏଥିରେ ପାତର ଅନ୍ତରର ମିଥ୍ୟା ଅଭିଯୋଗ ଲଗାଇଛି। ଏପରିକି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଯଦିଓ ଅନ୍ୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ର ସହ କାନ୍ଧକୁ କାନ୍ଧ ମିଳାଇ ପରିସ୍ଥିତିର ମୁକାବିଲା କରୁଛନ୍ତି। ଟିକାକରଣ ପକ୍ରିୟାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଦାରଖ କରୁଛନ୍ତି। ଟିକା ଯୋଗାଣରେ କୌଣସି ପାତର ଅନ୍ତର କରାଯାଇନଥିବା ଅପରାଜିତା କହିଛନ୍ତି। ଏଥିସହ ସ୍ୱଦେଶୀ ଟିକା ପ୍ରସ୍ତୁତ କରିପାରିଥିବାରୁ ସେ ଭାରତୀୟ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ସମ୍ମୁଖ ଯୋଦ୍ଧାମାନେ ଯେଉଁ ଜୋସ୍ରେ କାର୍ଯ୍ୟ କରୁଛନ୍ତି ଏବଂ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରିଛନ୍ତି ତାହା ଅତୁଳନୀୟ। କଂଗ୍ରେସ ଦଳ ନିଜ ବ୍ୟବହାର ଦ୍ୱାରା ସେମାନଙ୍କ ମନର ସାହସକୁ କମ ନକରୁ ବୋଲି ଅପରାଜିତା କହିଛନ୍ତି। ଏଥିସହ ଗୋଟିଏ ଦାୟିତ୍ୱସମ୍ପନ୍ନ ବିରୋଧୀଦଳ ଯେମିତି ବ୍ୟବହାର କରିବା କଥା କଂଗ୍ରେସ ତାହା ଶିଖୁ ବୋଲି ସେ କହିଛନ୍ତି।