ପ୍ରକାଶ ପାଇଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାର୍ଷିକ ରିପୋର୍ଟ କାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ଉଦେଶ୍ୟରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାର୍ଷିକ ରିପୋର୍ଟ କାର୍ଡ ପ୍ରକାଶ ପାଇଛି। ଏହି ବାର୍ଷିକ ରିପୋର୍ଟ କାର୍ଡ ହିସାବରେ ୨୩, ମାର୍ଚ୍ଚ ୨୦୨୦ରୁ ୨୨, ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ତଥ୍ୟ ଦେଇଛନ୍ତି। ଜନସାଧାରଣଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିବାରେ ଶ୍ରୀ ଷଡ଼ଙ୍ଗୀ ହେଉଛନ୍ତି ପ୍ରଥମ ସାଂସଦ।

୨୦୨୦ ମସିହାରେ ଏସିଆ ପୋଷ୍ଟ ଏବଂ ଫେମ ଇଣ୍ଡିଆ ଦ୍ୱାରା ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ଚୟନ କରାଯାଇଥିଲା। ମାୟା ଆଞ୍ଜେଲୋଙ୍କ ଉଦ୍ଧୃତି ସହ ତାଙ୍କର ବାର୍ଷିକ ରିପୋର୍ଟ କାର୍ଡ ପ୍ରକାଶ ପାଇଛି। ସମୁଦାୟ ୧୦୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ୧୩ଟି ଅଧ୍ୟାୟ ରହିଅଛି। ଏହି ଅଧ୍ୟାୟ ଗୁଡିକ ମଧ୍ୟରେ ପ୍ରମୁଖ ଅଧ୍ୟାୟ ହେଉଛି ବିକାଶ କାର୍ଯ୍ୟକ୍ରମ, ଜନ ଅଭିଯୋଗ ଶୁଣାଣି, ସଂସଦୀୟ ଅଂଶଗ୍ରହଣ, ଭାରତୀୟ ଜନତା ପାର୍ଟିରେ ତାଙ୍କର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପାର୍ଟିରେ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ।

କୋଭିଡ୍-୧୯ ସମୟରେ ସାଂସଦ ପାଣ୍ଠି ସାମୟିକ ଭାବେ ବନ୍ଦ ହୋଇଥିବା ସତ୍ତ୍ୱେ ସେ ବିଭିନ୍ନ ସିଏସଆର ପାଣ୍ଠିରୁ ୯୬ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ସିଏସଆର ପାଣ୍ଠି ବିନିଯୋଗ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଉଗ୍ରତାରା ମନ୍ଦିର ପାରିପାର୍ଶ୍ୱରେ ୨୫ ଲକ୍ଷ ଟଙ୍କାରେ ସୌର ଚାଳିତ ଆଲୋକୀକରଣ ବ୍ୟବସ୍ଥାରେ ରାସ୍ତା କଡରେ ଲାଇଟ୍ ଓ ମିନି ମାକ୍ସ ଲାଇଟ୍ ଲଗାଯାଇଛି। ଏହା ବ୍ୟତୀତ ୪୩ ଲକ୍ଷ ଟଙ୍କାରେ ବିଭିନ୍ନ ସ୍ଥାନରେ ରାସ୍ତାକଡ ଲାଇଟ୍ ଓ ମିନି ମାକ୍ସ ଲାଇଟ୍ ଲଗାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବହୁ ସଂଖ୍ୟାରେ ଡ୍ରେନ୍ ଓ କଲଭର୍ଟ କରାଇଛନ୍ତି। ଏଥିରେ ସମୁଦାୟ ୧୦,୨୦,୦୬,୫୦୫ ଟଙ୍କା ଖର୍ଚ୍ଚ କରାଯାଇଛି। ଏଠାରେ ମୁଖ୍ୟ ପ୍ରକଳ୍ପ ମଧ୍ୟରେ ରହିଛି ଜାତୀୟ ରାଜପଥ ପ୍ରାଧିକରଣ ପାଇଁ ୧୧୪ କୋଟି ଟଙ୍କାର ପ୍ରକଳ୍ପ ଯାହା ମଧ୍ୟରେ ରହିଛି ହଂସପାଳରେ ଫ୍ଲାଏଓଭର, ୩ଟି ଭେଇକିଲ ଅଣ୍ଡର ପାସ୍ ଏବଂ ୩ଟି ପୋଲ। ସେହିପରି ସାଂସଦ ତାଙ୍କ ସଂସଦୀୟ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜିଲ୍ଲା ପ୍ରଶାସନ ସହିତ ମିଶି ତଦାରଖ କରିଛନ୍ତି।

ଜନ ଅଭିଯୋଗ ଶୁଣାଣି ପ୍ରତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁତ୍ୱ ଦେଇଛନ୍ତି। ବିଗତ ବର୍ଷ ସମୁଦାୟ ୨୧୫୦ ଅଭିଯୋଗ ଶୁଣାଣି ମଧ୍ୟରୁ ୨୧୦୬ ଅଭିଯୋଗର ଫଇସଲା ତଥା ସମସ୍ୟାର ସମାଧାନ କରିଛନ୍ତି। ୧୦ଟି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପରେ ଆସିଥିବା ଜନ ଶୁଣାଣି କରି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ ମାଧ୍ୟମରେ ସେମାନଙ୍କୁ ୨୨ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯାଇଛି।

ସାଂସଦ ଅପରାଜିତା ଲୋକସଭା ଅଧିବେଶନ ସମୟରେ ଅଦ୍ୟାବଧି ଶତ ପ୍ରତିଶତ ଅଂଶଗ୍ରହଣ କରିଛନ୍ତି। ସେ ଲୋକସଭାରେ ୭ଟି ବିତର୍କରେ (ସରକାରୀ ବିଲ୍ ଉପରେ) ଅଂଶ ଗ୍ରହଣ କରିବା ସହ ୩୭ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି ଏବଂ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି।