ଅପରାଜିତା ମାରିଲେ ପ୍ରଶ୍ନବାଣ, ‘ପ୍ରବାସୀ ଶ୍ରମିକଙ୍କ ପାଇଁ କ’ଣ କରିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ଶନିବାର ସରକାରଙ୍କୁ ପ୍ରଶ୍ନବାଣ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଜାତୀୟସ୍ତରରେ ଲକଡାଉନ ପରେ ରାଜ୍ୟକୁ ପ୍ରାୟ ୯ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିଥିଲେ। ମାତ୍ର ଏଠାରେ କର୍ମନିଯୁକ୍ତିର ଅଭାବ ଯୋଗୁଁ ସେମାନେ ବାଧ୍ୟ ହୋଇ ପୁଣି ରାଜ୍ୟ ବାହାରକୁ ବାହୁଡ଼ିଲେଣି। ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ଥିବା ରାଜ୍ୟ ସରକାର ସେମାନଙ୍କ ପାଇଁ କ’ଣ କରିଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଏପରିକି ପଡ଼ୋଶୀ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପ୍ରବାସୀ ଶ୍ରମିକଙ୍କ ପାଇଁ ବହୁ ପଦକ୍ଷେପ ନେଇଥିବା ବେଳେ ଆମ ରାଜ୍ୟ ସରକାର କେବଳ ନିରବଦ୍ରଷ୍ଟା ପାଲଟିଛନ୍ତି ବୋଲି ଅପରାଜିତା କହିଛନ୍ତି।

ନିଜ ଅଭିଯୋଗରେ ସେ କହିଲେ ଯେ ମୁଖ୍ୟତଃ ଦାରିଦ୍ର୍ୟ ଓ କର୍ମନିଯୁକ୍ତିର ଅଭାବ ପାଇଁ ରାଜ୍ୟର ଭାଇ ଭଉଣୀମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ଔଦ୍ୟୋଗୀକରଣ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ବିଫଳ ହୋଇଛନ୍ତି। ରାଜ୍ୟରେ ବୃହତ୍ ଫାର୍ମା ଇଣ୍ଡଷ୍ଟ୍ରୀ, ଲେଦର, ବାୟୋଟେକ କ୍ଲଷ୍ଟର ନାହିଁ। ଅନ୍ୟପଟେ ଅନ୍ୟରାଜ୍ୟର ବଡ଼ ବଡ଼ କାରଖାନାଗୁଡ଼ିକରେ ଅଟୋ କମ୍ପୋନେଣ୍ଟ, କାଷ୍ଟିଂ, କାର୍ବନ ଗ୍ରେଡ୍ ଷ୍ଟିଲ୍ ତିଆରି ହେଉଥିବା ବେଳେ ଓଡ଼ିଶା ସେମାନଙ୍କୁ କଞ୍ଚାମାଲ ଯୋଗାଉଛି। ଆମ ରାଜ୍ୟରେ ଭ୍ୟାଲୁ ଆଡିସନ ଯଦି ସଠିକ ଭାବେ ହେଉଥାନ୍ତା ତାହେଲେ ରାଜ୍ୟର ଯୁବକ ଯୁବତୀମାନେ ଅନ୍ୟରାଜ୍ୟକୁ ଯିବାକୁ ପଡ଼ନ୍ତା ନାହିଁ ବୋଲି ସେ କହିଛନ୍ତି। ରାଜ୍ୟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଫେରିବା ପରେ କେନ୍ଦ୍ର ସରକାର ବାରମ୍ବାର କହିବା ସତ୍ତ୍ବେ ମଧ୍ୟ ଶ୍ରମିକଙ୍କ ଦକ୍ଷତା ନିରୂପଣ କରାଯାଇପାରିଲା ନାହିଁ।

ଆଖପାଖ ରାଜ୍ୟ ଯେପରିକି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କିନ୍ତୁ ଶ୍ରମିକଙ୍କ କର୍ମନିଯୁକ୍ତି ପାଇଁ ସେଠାକାର ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ମଧ୍ୟପ୍ରଦେଶରେ ସେଠାକାର ସରକାର ରୋଜଗାର ସେତୁ ନାମକ ଏକ ଆପ୍ ତିଆରି କରି ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ଏହି ଆପରେ ମଧ୍ୟପ୍ରଦେଶକୁ ଗତ ମାର୍ଚ୍ଚ ୧ ତାରିଖରୁ ଜୁନ୍ ମାସ ଶେଷ ସୁଦ୍ଧା ଫେରିଥିବା ଶ୍ରମିକମାନଙ୍କ ପଞ୍ଜୀକରଣ କରାଯିବା ସହ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଥିଲା। ନିଯୁକ୍ତିଦାତାମାନେ ଆପରୁ ଶ୍ରମିକମାନଙ୍କୁ ଚୟନ କରି ସେମାନଙ୍କୁ କାମ ଦେଇ ପାରିଛନ୍ତି। ଛତିଶଗଡ଼ରେ ଜିଲ୍ଲାସ୍ତରରେ ୩୨ଟି କାଉନସେଲିଂ ସେଣ୍ଟର ପ୍ରତିଷ୍ଠା କରାଯାଇଥିବା ବେଳେ ବ୍ଲକସ୍ତରରେ ଶ୍ରମିକଙ୍କ ସମସ୍ୟା ବୁଝିବା ପାଇଁ ୩୮୯ଟି ସେଣ୍ଟର ପ୍ରତିଷ୍ଠା ହୋଇଛି।

ଏପରି ସମୟରେ ଓଡ଼ିଶାରେ ସରକାର ଶ୍ରମିକଙ୍କ ପାଇଁ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମନରେଗାରେ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ମୋଦୀ ସରକାର ୨୨୫୭ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହାକୁ ଭଲଭାବେ ବିନିଯୋଗ କରାଯାଇଥିଲେ ଶ୍ରମିକମାନେ ଆଉ ବାହାର ରାଜ୍ୟକୁ ଯାଇନଥାନ୍ତେ। ମାତ୍ର ତାହା କରାଯାଇପାରିଲା ନାହିଁ। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଶବ୍ୟାପୀ ୧୧୬ ଜିଲ୍ଲାକୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ୪ ଜିଲ୍ଲା ସ୍ଥାନ ପାଇଥିଲା। କେନ୍ଦ୍ର ସରକାର ଏହି ଜିଲ୍ଲାମାନଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ଓଡ଼ିଶାର ପ୍ରଦର୍ଶନ ଏଠାରେ ମଧ୍ୟ ନୈରାଶ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି।