ପଶ୍ଚିମବଙ୍ଗ ଫଳାଫଳ : ୩ରୁ ୭୭ହେଲୁ, ଭଲ ପ୍ରଦର୍ଶନ: ଅପରାଜିତା

ଭୁବନେଶ୍ୱର, ଏନ୍ଏନ୍ଏସ୍: ପଶ୍ଚିମବଙ୍ଗରେ ବିଜେପିର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ଆମେ ଭଲ କରିଛୁ। ଗତ ବିଧାନସଭା ନିର୍ବାଚନରେ ଦଳର ମାତ୍ର ୩ ବିଧାୟକ ଜିତିଥିଲେ, ଏବେ ୭୭ ଜଣ ଜିତିଛନ୍ତି। ଏଣୁ ବିଜେପିର ପରାଜୟ ହେଲା ଏ କଥା କହିହେବନାହିଁ ବୋଲି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।
ଆଜି ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅପରାଜିତା କହିଛନ୍ତି ଯେ ପଶ୍ଚିମବଙ୍ଗ ଆମ ପାଇଁ ସମ୍ପୂର୍ଣ୍ଣ ନୂଆ ଜାଗା ଥିଲା। ତଥାପି ଆମେ ଲୋକଙ୍କ ସହ ମିଶିକରି, ଲୋକଙ୍କ ସାଙ୍ଗେ ପ୍ରଚାର ଅଭିଯାନ ଚଳାଇ ଏତେ ବାଟ ଆସିଛୁ। ପରିବର୍ତ୍ତନ ଡାକରା ଲୋକେ ଦେଇଥିଲେ। ଏହାକୁ ନେଇ ଦଳ ମଧ୍ୟ ବେଶ୍ ଉତ୍ସାହିତ ଥିଲା। କିନ୍ତୁ, ଆଶା ମୁତାବକ ଆମେ ସେହି ସ୍ତରରେ ପହଞ୍ଚିପାରିଲୁନାହିଁ। ତଥାପି ଦଳର ଭଲ ମୂଳଦୁଆ ପଶ୍ଚିମବଙ୍ଗରେ ପଡ଼ିଥିବାରୁ ଆମେ ଖୁସି। ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ଅନ୍ୟ ୪ଟି ସ୍ଥାନରେ ନିର୍ବାଚନ ସରିଲା। ଏବେ ଆମେ ଓଡ଼ିଶା ଉପରେ ଧ୍ୟାନ କେନ୍ଦ୍ରୀତ କରିବୁ। ପଶ୍ଚିମବଙ୍ଗ ଫଳାଫଳ ଯାହା ବି ହେଉ, ଭାରତୀୟ ଜନତା ପାର୍ଟି ଓଡ଼ିଶାକୁ ନେଇକରି ବହୁତ ଗମ୍ଭୀର ଅଛି। ଆଉ ଏ ଦିଗରେ ଆମେ କାମ ଆରମ୍ଭ କରୁଛୁ। ଏଇଠି ବି ଆମେ ଚାହୁଁଛୁ ମୋଦୀ ସରକାର ଆସୁ।