ବାଲେଶ୍ୱର ପ୍ରଚାରରେ ସାଂସଦ ଅପରାଜିତା

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ସିନ୍ଧିଆ ପଞ୍ଚାୟତରୁ ଆରମ୍ଭ କରିଥିଲେ । ପରେ ସେ ନଗ୍ରମ ଠାରେ ପ୍ରଚାର କରିବା ପରେ ବାଲେଶ୍ୱର ପୌରପରିଷଦ ଅନ୍ତର୍ଗତ ୫ନମ୍ବର ୱାର୍ଡରେ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ବିଧାୟକ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ କର୍ମୀ ସମ୍ମିଳନୀ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟ ସରକାରଙ୍କ ଟାର୍ଗେଟ କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଲେଶ୍ୱରରେ ବ୍ୟାପକ ଦୁର୍ନୀତି ହୋଇଛି ।

ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକଙ୍କୁ ଏହି ସୁବିଧା ମିଳୁଥିବା ବେଳେ ସାଧାରଣ ଲୋକଙ୍କୁ ଏହାର ସୁବିଧା ସୁଯୋଗ ମିଳୁନାହିଁ । ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ସହରାଞ୍ଚଳ ପାଇଁ ଡ୍ରିମ୍ ପ୍ରୋଜେକ୍ଟ ଅମୃତ ଯୋଜନାରେ ଅନ୍ତର୍ଭୂକ୍ତ ହୋଇଥିବା ବାଲେଶ୍ୱର ଜିଲ୍ଲାରେ ଆଖିଦୃଶିଆ କାର୍ଯ୍ୟ କରାଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ୩ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏପରିକି ଏହି ଯୋଜନା ମାଧ୍ୟମରେ ୪ଟି ପାର୍କ କରାଯିବା କଥା । ହେଲେ ଗୋଟିଏ ପାର୍କରେ ଅଳ୍ପ କାମ ହୋଇଥିବା ବେଳେ ୩ଟି ପାର୍କର କାମ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ । ସେହିଭଳି ସହରରେ ସ୍ମାର୍ଟ ଲାଇଟ ସିଷ୍ଟମ କରାଯାଇଥିଲା । ଏଥିପାଇଁ ୧୮୬ଟି ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ମଧ୍ୟ ରହିଛି । ହେଲେ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୭୩ଟି ଡାକ୍ତର ପଦବୀ ରହିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୧୮୩ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି । ଏହାଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଉପରେ ବହୁ ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି । ବାଲେଶ୍ୱର ସହର ପାଇଁ ସିଟି ବସ ଯୋଜନା ପାଇଁ ସହରକୁ ୧୦ଟି ବସ ପ୍ରଦାନ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ମାତ୍ର ୪ଟି ବସ ଆସିଥିବା ବେଳେ ୬ଟି ବସ୍ ଆସିନାହିଁ । ଏଥିପାଇଁ ୭.୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ତେବେ ବର୍ତ୍ତମାନ ଏହି ବସ ଗାନ୍ଧୀସ୍ମୃତି ଭବନ ପରିସରରେ ପଡି ଖତ ଖାଉଛି । ବାଲେଶ୍ୱରରେ ଡ୍ରେନେଜ ବ୍ୟବସ୍ଥା ବହୁ ଖରାପ ହୋଇପଡ଼ିଛି । ବାଲେଶ୍ୱର ଜିଲ୍ଲାରେ ନାରୀମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ବିଜେପି ରାଜ୍ୟ ସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଈଶ୍ୱର ବେହେରା, ଗୌରାଙ୍ଗ ଦାସ, ରବିନାରାୟଣ ମହାପାତ୍ର, କାର୍ତ୍ତିକ ରାଉତ, ଉତ୍ତମ ପ୍ରଧାନ, ଅଞ୍ଜନ ପରିଡ଼ା, ନିହାର ମୋଦୀ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ ।