ଭୁବନେଶ୍ୱର,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱରେ ନଭେଲ୍ କୋରନା ଭାଇରସ୍ (କୋଭିଡ୍-୯୯) ଆତଙ୍କ ସୃଷ୍ଟି କରିଥିଲା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି। ହଜାର ହଜାର ସଂଖ୍ୟାରେ ଲୋକ ଏହି ଭାରଇସର ଶିକାର ହୋଇ ମୃତ୍ୟୁବରଣ କରୁଥିଲା ବେଳେ ଏଥିପାଇଁ କୌଣସି ପ୍ରତିଷୋଧ ମୂଳକ ଔଷଧ ବାହାରି ନାହିଁ। ଭାରତ ବର୍ଷରେ ମଧ୍ୟ ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି। ଏହାକୁ ରୋକିବା ପାଇଁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ଦିନ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କଲା ପରେ ୨୪ ତାରିଖ ମଧ୍ୟରାତ୍ରୀ ଠାରୁ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ଲକ୍ ଡାଉନ୍ ଫଳରେ ଦେଶରେ ତଥା ରାଜ୍ୟରେ ବିଭିନ୍ନ ବର୍ଗର ଲୋକ ଶ୍ରମିକ, ପ୍ରବାସୀ, ସାଧାରଣ ଜନତା ଅନେକ ଅସୁବିଧାରେ ଜୀବନ ଯାପନ କରୁଛନ୍ତି। କରୋନା ବିପତ୍ତି ସହିତ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ପି.ଏମ୍. କେୟାରସ୍ ଫଣ୍ଡ’ ତାଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ଓ ସମସ୍ତେ ଏଥିପାଇଁ ମୁକ୍ତହସ୍ତରେ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି।
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ‘ପି.ଏମ୍. କେୟାରସ୍ ଫଣ୍ଡ’କୁ ଏକମାସର ଦରମା ଓ ‘ଆନ୍ଧ୍ର ପ୍ରଦେଶ ସି.ଏମ୍. ରିଲିଫ୍ ଫଣ୍ଡ’କୁ ୧ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏହି ଭୟଙ୍କର ବେମାରିକୁ ରୋକିବା ପାଇଁ ହେଲେ ରାଜ୍ୟର ସାଧାରଣ ଜନତା ଏହି ଲକ୍ ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବା ଏବଂ ଏହାର ପ୍ରତ୍ୟେକ ଗାଇଡଲାଇନକୁ ମାନିବା ପାଇଁ ରାଜ୍ୟପାଳ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏନସିସି, ଏନଏସଏସ୍, ରେଡକ୍ରସ୍, ଏନଜିଓ, ସିଭିଲି ସୋସାଇଟି ମେମ୍ବର ମାନଙ୍କୁ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଓ ଜନସଚେତନତା ସୃଷ୍ଟି କରିବା ସହିତ ନିଜ ନିଜ ଘରେ ଲୋକେ ରହିବାକୁ ନିବେଦନ କରିଛନ୍ତି। ବଦାନ୍ୟ ବକ୍ତିମାନେ ପି.ଏମ୍. କେୟାର ପାଣ୍ଠି ଓ ସି.ଏମ୍. ରିଲିଫ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରିଛନ୍ତି।