ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଡକ୍ଟରେଟ୍

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପାବରମଣ୍ଡି ଗୋବିନ୍ଦଗଡ଼ସ୍ଥିତ ଦେଶ ଭଗତ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଛନ୍ତି। ଗତ ୧୪ ତାରିଖରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହରିଚନ୍ଦନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଦେଶସେବାରେ ତାଙ୍କର ଅସାଧାରଣ ସହଭାଗିତା, ଜାତିପ୍ରତି ଅତୁଳନୀୟ ଅବଦାନ, ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ ଆଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁଁ ଉକ୍ତ ଉତ୍ସବରେ ତାଙ୍କୁ ସାମାଜିକ ମାନବାଧିକାର ସମ୍ମାନ ସ୍ୱରୂପ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି।

ପ୍ରକାଶଥାଉକି ଶ୍ରୀହରିଚନ୍ଦନ ପାଞ୍ଚଥର ବିଧାୟକ ଓ ୪ଥର ବିଭିନ୍ନ ବିଭାଗରେ ମନ୍ତ୍ରୀଭାବେ ରହି ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି। ସେ ୧୯୬୨ ମସିହାରେ ପେସାଦାର ଆଇନଜ୍ଞଭାବେ ଓଡ଼ିଶା ହାଇକୋର୍ଟର ବାର୍ ଆସୋସିଏସନରେ ଯୋଗ ଦେଇଥିଲେ ଓ ପରେ ଓଡ଼ିଶା ରାଜ୍ୟ ବାର୍କାଉନ୍ସିଲ୍ର ଜଣେ ନିର୍ବାଚିତ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ।

୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗଦେଇ ସେ ୧୯୭୭ରେ ଓଡ଼ିଶା ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସାରା ଭାରତରେ ଚାଲିଥିବା ଜରୁରୀକାଳୀନ ପରସ୍ଥିତି ସମୟରେ ଜନସଚେତନତା ସୃଷ୍ଟିକରି ସେ କାରାବରଣ କରିଥିଲେ।

୧୯୭୪ ରେ ସୁପ୍ରିମକୋର୍ଟର କ୍ଷମତାକୁ ସଙ୍କୁଚିତକରି ବିଚାରବିଭାଗର ସ୍ୱାଧୀନତା ଉପରେ ଶ୍ରୀମତୀ ଗାନ୍ଧୀ ଯେଉଁ ଆକ୍ରମଣ କରିଥିଲେ ତା ବିରୋଧରେ ସମଗ୍ର ଦେଶରେ ହୋଇଥିବା ଆଇନଜୀବୀ ଆନ୍ଦୋଳନର ନେତୃତ୍ୱ ସେ ଓଡ଼ିଶାରେ ନେଇଥିଲେ। ରାଜସ୍ୱ, ଆଇନ, ଗ୍ରାମ୍ୟଉନ୍ନୟନ, ଶିଳ୍ପ, ଖାଦ୍ୟ ଏବଂ ଯୋଗାଣ, ଶ୍ରମନିଯୁକ୍ତି, ହାଉସିଙ୍ଗ, ସଂସ୍କୃତି, ମତ୍ସ୍ୟ ଏବଂ ପଶୁସଂପଦ ଆଦି ବିଭାଗରେ ମନ୍ତ୍ରୀଭାବେ ରହି ସେ ପାରଦର୍ଶିତା ଦେଖାଇଥିଲେ। ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ପ୍ରଥମ ରାଜ୍ୟ ସଭାପତି ଥିଲେ ଓ ୪ଥର ଦଳର ସଭାପତି ଭାବେ ଗୁରୁ ଦାୟିତ୍ୱବହନ କରିଥିଲେ। ସାହିତ୍ୟକ୍ଷେତ୍ରରେ ଜଣେ ନାଟ୍ୟକାର ଓ ସ୍ତମ୍ଭକାର ଭାବରେ ସେ ସୁନାମ ଅର୍ଜନ କରିଛନ୍ତି।