ଅଯୋଧ୍ୟା ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଯିବ ମୁସଲିମ୍ ଲ’ ବୋର୍ଡ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ଜମି ବିବାଦ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ଫୈସଲାର ଏକ ସପ୍ତାହ ପରେ ଏହାର ପୁନର୍ବିଚାର ପାଇଁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସୋନାଲ୍ ଲ’ ବୋର୍ଡ (ଏଆଇଏମପିଏଲବି) ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ରବିବାର ଲକ୍ଷେ୍ନøରେ ଏଆଇଏମ୍ପିଏଲ୍ବିର ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଏହି ରାୟକୁ ଚାଲେଞ୍ଜ୍ କରି ଜମିଆତ୍ ଉଲେମା-ଇ-ହିନ୍ଦ୍ ମଧ୍ୟ ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ନାଗରିକ ସମାଜର କେତେକ ପ୍ରମୁଖ ବ୍ୟକ୍ତିତ୍ୱ ରାୟର ପୁନର୍ବିଚାର ପାଇଁ ଦୃଢ଼ ମତ ପୋଷଣ କରିଛନ୍ତି।

ଏଆଇଏମ୍ପିଏଲ୍ବିର ବୈଠକ ପରେ ଏହାର ସଦସ୍ୟ ଇଲୟାସ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ରିଭ୍ୟୁ ପିଟିସନ୍ ଦାଖଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆମେ ବିବାଦୀୟ ସ୍ଥଳରେ ମସଜିଦ୍ ପାଇଁ ଉଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗ୍ରହଣ କରିପାରିବୁ ନାହିଁ। ତେଣୁ ଆମକୁ ଅନ୍ୟତ୍ର ଯେଉଁ ୫ ଏକର ଜମି ଦିଆଯିବ ବୋଲି କୁହାଯାଇଛି ତାହା ଗ୍ରହଣୀୟ ନୁହେଁ।’ ଏଆଇଏମପିଏଲବି ପକ୍ଷରୁ ଆହୁରି କୁହାଯାଇଛି, ଏହି ରାୟ ଦ୍ୱାରା ମୁସଲିମ୍ ପକ୍ଷକୁ କୌଣସି ନ୍ୟାୟ ମିଳିନାହିଁ।

ଉଲ୍ଲେଖଯୋଗ୍ୟ ଗତ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ ରାୟରେ ବିବାଦୀୟ ୨.୭୭ ଏକର ଜମିକୁ ହିନ୍ଦୁ ପକ୍ଷକୁ ଏବଂ ଅଯୋଧ୍ୟାର ଅନ୍ୟତ୍ର ମସଜିଦ୍ ପାଇଁ ସୁନ୍ନୀ ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ ଲ’ ବୋର୍ଡର ସଦସ୍ୟ ତଥା ସୁନ୍ନୀ ୱାକଫ ବୋର୍ଡର ଓକିଲ ଜାଫରୟାବ ଜିଲାନି କହିଥିଲେ, ‘ଆମେ ରାୟରେ ସନ୍ତୁଷ୍ଟ ନୁହଁ। ଆମ ମତରେ ଏହା ଠିକ୍ ହୋଇନାହିଁ। ଆମେ ଏହାକୁ ନ୍ୟାୟ ଭାବରେ ଗ୍ରହଣ କରିପାରୁନାହୁଁ।’

ତେବେ ସୁନ୍ନୀ ୱାକ୍ଫ ବୋର୍ଡ ଏହି ରାୟକୁ ଚାଲେଞ୍ଜ୍ କରିବ ନାହିଁ ବୋଲି ପୂର୍ବରୁ କହିଥିଲା। ମାତ୍ର ଅଯୋଧ୍ୟା ଜମି ମାମଲାରେ ପକ୍ଷଭୁକ୍ତ ହୋଇନଥିବା ଏଆଇଏମପିଏଲବି ଏବେ ଏହାକୁ ଚାଲେଞ୍ଜ୍ କରିବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଏହି ମାମଲାରେ ମୁସଲିମ୍ ପକ୍ଷଙ୍କୁ ଆର୍ଥିକ ଓ ଆଇନଗତ ସହାୟତା ଯୋଗାଇ ଦେଉଥିଲା ଏଆଇଏମ୍ପିଏଲ୍ବି।

ଅଯୋଧ୍ୟା ମାମଲାରେ ଅନ୍ୟତମ ପ୍ରମୁଖ ପକ୍ଷ ଜମିଆତ୍ ଉଲେମା-ଇ-ହିନ୍ଦ୍ ମୁଖ୍ୟ ଅର୍ସାଦ ମଦାନି କହିଛନ୍ତି, ଆମେ ପୁନର୍ବିଚାର ପାଇଁ ଆବେଦନ କରିବୁ। ରବିବାର ଜମିଆତ୍ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ନେବାଲାଗି ଜମିଆତ୍ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା।

ଅଯୋଧ୍ୟା ରାୟର ପୁନର୍ବିଚାର ପାଇଁ ଦୃଢ଼ ମତ ପୋଷଣ କରିଛନ୍ତି ନାଗରିକ ସମାଜର କେତେକ ବିଶିଷ୍ଟ ବୁଦ୍ଧିଜୀବୀ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ବୁଦ୍ଧିଜୀବୀମାନେ ମିଳିତ ଭାବେ ଏକ ଲିଖିତ ବିବୃତିରେ ଉଲ୍ଲେଖ କରିଛନ୍ତି, ବାବ୍ରୀ ମସଜିଦ୍ ଭଙ୍ଗାଯିବାରୁ କୋର୍ଟ ଏଭଳି ଫୈସଲା ଶୁଣାଇବା ସମ୍ଭବ ହେଲା। ମସଜିଦ୍ ଭଙ୍ଗାଯାଇନଥିଲେ ଏଏସ୍ଆଇର ରିପୋର୍ଟକୁ ଭିତ୍ତିକରି ସୁପ୍ରିମକୋର୍ଟ ଏଭଳି ଫୈସଲା ଶୁଣାଇପାରିନଥାନ୍ତେ ବୋଲି ଏହି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଏହି ଲିଖିତ ବିବୃତିରେ ଯେଉଁ ବୁଦ୍ଧିଜୀବୀମାନେ ସ୍ୱାକ୍ଷର କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର କେ ଝା ଓ ପାମେଲା ଫିଲିପୋସ୍, ଐତିହାସିକ ଇର୍ଫାନ୍ ହବିବ୍, ଶିକ୍ଷାବିତ୍ ଯଯାତି ଘୋଷ ଓ ବଦ୍ରି ରାଇନା ଏବଂ ସୋହେଲ ହାସମି ପ୍ରମୁଖ।