ଫାରୁକଙ୍କୁ ଜବାବ ଦେଲେ ଅନୁଷ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଟୁଇଟକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଟ୍ୱିଟରର ଏହି ପୋଷ୍ଟ ଜରିଆରେ ଅନୁଷ୍କା କ୍ରୋଧ ପ୍ରକାଶ କରି ଜଣାଇଦେବାକୁ ଚାହାନ୍ତି ଯେ, ଭାରତୀୟ କ୍ରିକେଟ୍ ସହ ଜଡ଼ିତ କୌଣସି ବିବାଦରେ ତାଙ୍କ ନାଁ ଉଠିବାକୁ ସେ ପସନ୍ଦ କରୁନାହାନ୍ତି। ନିକଟରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ୍ କିପର୍ ଫାରୁକ୍ ଇଞ୍ଜିନିୟର ଏକ ଅଗ୍ରଣୀ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ବିଶ୍ୱକପ୍ ୨୦୧୯ବେଳେ କ୍ରିକେଟ ଟିମର ଚୟନକର୍ତ୍ତାମାନେ ଅନୁଷ୍କା ଶର୍ମାଙ୍କୁ ଚା’ ପରଷିଥିଲେ। ଅନୁଷ୍କା ଶର୍ମା ଫାରୁକଙ୍କ ଏହି ଅଭିଯୋଗର କଡ଼ା ଜବାବ ଦେଇ କହିଛନ୍ତି, ତାଙ୍କ ନିରବତାକୁ ଦୁର୍ବଳତା ବୋଲି ଭାବିବା ଅନୁଚିତ।

ଫାରୁକଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ଏଭଳି ମନଗଢ଼ା ଏବଂ ଭିତ୍ତିହୀନ ଅଭିଯୋଗରୁ ରକ୍ଷା ପାଇବା ପାଇଁ ସେ ଚୁପ୍ ରହିବାକୁ ଉଚିତ ମନେକରନ୍ତି। ଏଭଳି ତୁଚ୍ଛା ଆଲୋଚନାକୁ କିଭଳି ଏଡ଼େଇ ଦେଇ ହେବ ତାହା ସେ ବଲିଉଡରେ ୧୧ ବର୍ଷ କାମ କରିବା ଭିତରେ ଭଲକି ଶିଖିଗଲେଣି। ତେଣୁ ସେ ଆଉ ଚୁପ୍ ରହିବେ ନାହିଁ। ଅନୁଷ୍କା ଆହୁରି ଲେଖିଛନ୍ତି, ବିରାଟ କୋହଲି ଯେତେବେଳେ ଖରାପ ପ୍ରଦର୍ଶନ କଲେ, ସେଥିପାଇଁ ତାଙ୍କୁ ଦାୟୀ କରାଯାଇଥିଲା। ଏପରିକି କ୍ରିକେଟ ଟିମ୍ ବୈଠକରେ ସେ ବସନ୍ତି ଏବଂ ଏହା ଦ୍ୱାରା ଟିମ୍ର ନିଷ୍ପତ୍ତି ପ୍ରଭାବିତ ହୁଏ ବୋଲି ଅନେକ ଥର ଆଲୋଚନା ହୁଏ। ଏସବୁ ତୁଚ୍ଛା ଗାଲୁଗପ ବୋଲି କହିଛନ୍ତି ଅନୁଷ୍କା। ଏମିତିକି ସେ ନିଜ ଟଙ୍କାରେ ଫ୍ଲାଇଟ୍ ଟିକେଟ କିଣନ୍ତି। ଚୟନକର୍ତ୍ତାଙ୍କ ସହ ନ ବସି ଫ୍ୟାମିଲି ବକ୍ସରେ ବସି ଖେଳ ଉପଭୋଗ କରନ୍ତି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଅନୁଷ୍କା।