ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକଙ୍କ ଆତ୍ମହତ୍ୟା

ମୁମ୍ବାଇ,ଏଜେନ୍ସି: ଚଳିତ ବର୍ଷ କଳାକାର ଜଗତରେ ଖେଳିଯାଇଛି କଳା ବାଦଲ। ଜଣକ ପରେ ଜଣେ କଳାକାର ଆତ୍ମହତ୍ୟା କରୁଛନ୍ତି। ନିକଟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଗତକାଲି ସମୀର ଶର୍ମାଙ୍କ ଆତ୍ମହତ୍ୟା ଘଟଣା ମନରୁ ଲିଭି ନଥିବାବେଳେ ଆଜି ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଖ୍ୟାତନାମା ଅଭିନେତ୍ରୀ ଅନୁପମା ପାଠକ(୪୦) ଆତ୍ମହତ୍ୟା କରିଛନ୍ତି।

ଗତ ୨ ତାରିଖରୁ ସେ ଆତ୍ମହତ୍ୟା କରିଥିବାବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ମୁମ୍ବାଇର ଦହିଦାର ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ତେବେ ତାଙ୍କର ଏକ ସୁଇସାଇଡ୍‌ ନୋଟ ପୁଲିସ ହାତରେ ଲାଗିଥିବା ଜଣାପଡ଼ିଛି। ସେଥିରେ ସେ ଠକେଇ ଯୋଗୁ ଏପରି ଚରମ ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛନ୍ତି। ତେବେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

ଅନୁପମାଙ୍କ ଘର ବିହାରର ପାଟନାରେ। ସେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ କାମ କରିବା ଲାଗି ମୁମ୍ବାଇ ଆସିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ ସେ ଏକ ଠକେଇର ଶିକାର ହୋଇଥିବା ବିଷୟରେ କହିଥିଲେ। ଅନୁପମା ମାଲାଦରେ ଥିବା ୱଜଡମ ପ୍ରଡକ୍ସନ ନାମକ ଏକ କମ୍ପାନୀରେ ୧୦ ହଜାର ଟଙ୍କା ନିବେଶ କରିଥିଲେ। ଏହାର ମାଚ୍ୟୁରିଟି ୨୦୧୯ ଡିସେମ୍ବରରେ ଶେଷ ହୋଇଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ତାଙ୍କୁ ଟଙ୍କା ଦିଆଯାଇ ନଥିଲା। ଲକଡାଉନ ସମୟରେ ରୋଜଗାର ବନ୍ଦ ହୋଇଯାଇଥିବାରୁ ଅନୁପମା ଠକେଇର ଶିକାର ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।