ମାଆ ଓ ଝିଅର ହତ୍ୟା ଘଟଣାରେ ଅନୁପ ସାଏ ଗିରଫ, ଛତିଶଗଡ଼ ପୁଲିସର ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୨୦୧୬ ମସିହାର ମା’ ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଆଜି ଛତିଶଗଡ଼ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଛତିଶଗଡ଼ ପୁଲିସର କହିବା ଅନୁସାରେ ୨୦୧୬ରେ ମା ଓ ଝିଅ ହତ୍ୟାକାଣ୍ଡର ଅନୁପ ସାଏ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ଠୋସ୍ ପ୍ରମାଣ ପାଇଛି। ଏ ନେଇ ଅପରାହ୍ଣରେ ଛତିଶଗଡ଼ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ତାଙ୍କୁ ଆଇପିସିର ଧାରା ୩୦୨(ହତ୍ୟା), ୧୦୨(ବି)(ହତ୍ୟା ଷଡ଼ଯନ୍ତ୍ର), ୨୦୧(ପ୍ରମାଣ ନଷ୍ଟ)ରେ ଗିରଫ କରାଯାଇଥିବା ରାୟଗଡ଼ ଏସପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି। ସେହିପରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

୨୦୧୬ରେ ବ୍ରଜରାଜନଗର ଅଞ୍ଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସ (୩୨) ଓ ତାଙ୍କ ଝିଅ ବବ୍‌ଲି ଓରଫ ପ୍ରଭାତୀ(୧୩)ଙ୍କ ରକ୍ତାକ୍ତ ମୃତଦେହ ଛତିଶଗଡ଼ର ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରୁ ପୁଲିସ ଉଦ୍ଧାର କରିଥିଲା। କଳ୍ପନା ସେତେବେଳେ ଗର୍ଭବତୀ ଥିବା କୁହାଯାଉଛି। ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଚକ୍ରଧରନଗର ପୁଲିସ ତଦନ୍ତ ଆରମ୍ଭ କରିଥିଲା।