ଦେବଗଡ଼,ଏନ୍ଏନ୍ଏସ୍: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାଧରି ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିବା ସହ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ଲଗାତର ବର୍ଷା ପ୍ରଭାବରେ ଆଜି ସକାଳୁ ଦେବଗଡ଼-ଅନୁଗୁଳ ୫୩ନଂ ଜାତୀୟ ରାଜପଥରେ ଟିକିରା ନଦୀର ବନ୍ୟାଜଳ ୩ ଫୁଟ ଉଚ୍ଚର ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣରୂପେ ଠପ ହୋଇଯାଇଛି। ବୁଢ଼ାପାଲ-ପରା ରାସ୍ତା ତାଳବାହାଲିଠାରେ ପୋଲ ଉପରେ ୧ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବାରକୋଟ ବ୍ଲକ କାଳିଆପାଳ ପଞ୍ଚାୟତ ଅନ୍ତର୍ଗତ ଜାଲିସୁଆଁ ଗ୍ରାମ ଦେଇ ଯାଇଥିବା ମତୁଆଳି ନାଳ ଜାଳିସୁଆଁକୁ ସଂଯୋଗ କରୁଥିବା ବ୍ରିଜ ଉପରେ ୭ ଫୁଟର ପ୍ରବଳ ବର୍ଷାଜଳ ପ୍ରବାହିତ ହେବାରୁ ଉକ୍ତ ପଞ୍ଚାୟତର ଜାଲିସୁଆଁ, ବୁଢ଼ାଡ଼ିହ, ବୁଢ଼ାଭୂଇଁ, ଗାଡ଼ିଆ, ଜାମଡ଼ିହି ଓ ମାଦଲିଆ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରିଆମାଳ ବ୍ଲକ ତୁଙ୍ଗାମାଳ ଗ୍ରାମରେ ବହୁ ଗ୍ରାମବାସୀଙ୍କ ଘରେ ବର୍ଷାଜଳ ପଶି ଯାଇଥିବା ଦେଖିବାକୁ ମିଳିଛି। ଝରାବେର୍ଣ୍ଣୀଠାରେ ପ୍ରାୟ ୫୦ଏକରରୁ ଉର୍ଦ୍ଧ ପୋଟଳ ବାଡ଼ିରେ ବନ୍ୟାଜଳ ପଶି ପୋଟଳ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଝରାବେର୍ଣ୍ଣୀ ଗ୍ରାମର ବରୁଣ ରଣା, ମାଳତୀ ନାୟକ, ବାବୁଲି ନାୟକ, ବିଶି ନାୟକ, ପ୍ରମିଳା ନାୟକ, କଇନ୍ତା ନାୟକ, ପଦ୍ମିନୀ ବେହେରା ଓ ମୁନି ନାୟକଙ୍କ ଘର କାନ୍ଥ ବର୍ଷା ପ୍ରଭାବରେ ଭାଙ୍ଗିଯିବାରୁ ସେମାନେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିବା ଜଣାପଡ଼ିିଛି। ଗତକାଲି ରାତିରେ ଆମ୍ବଗାଁଠାରେ ବର୍ଷା ଜଳରେ ବନ୍ଦୀ ହୋଇଥିବା ଗ୍ରାମବାସୀଙ୍କୁ ବାରକୋଟ ଥାନା ପୁଲିସ ସହାୟତାରେ ଜଳ ନିଷ୍କାସନ କରାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି।