ହାଇକୋର୍ଟ ଗଲେ ଅଭିନେତା ଅନୁଭବ

  • କଟକ: ପାରିବାରିକ ବିବାଦକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବାବେଳେ ଆଜି ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି। ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନ କରିଛନ୍ତି ଅନୁଭବ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ସେ ଆବେଦନ କରିଛନ୍ତି। ଗତ କିଛିଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରି ନଥିବା ଜଣାପଡ଼ିଛି।
    ପୂର୍ବରୁ ଜୁଲାଇ ୯ ତାରିଖରେ ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସେଦିନ ଆପୋଷ ସମଧାନ ହୋଇନଥିଲା। ଏଥିପାଇଁ ପରେ ପୁଣି ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା।
    ଦୁହେଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନର ଦିଗ ବାହାରି ପାରିନଥିଲା। ସୂଚନାରୁ ପ୍ରକାଶ, ଛାଡପତ୍ର ପାଇଁ କଟକ ଫ୍ୟାମିଲି କୋର୍ଟରେ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବାବେଳେ ଅନୁଭବ ଆସୁନଥିଲେ। ଆଉ ଅନୁଭବ ଆସୁଥିଲାବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ବିଚାର ଗଡ଼ି ଗଡ଼ି ଚାଲୁଛି। ଏହାରି ଭିତରେ ଅନୁଭବ ଆଜି ହାଇକୋର୍ଟ ଯାଇଛନ୍ତି।