ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର, ଏକଜୁଟ ହୋଇ ମାଓବାଦୀଙ୍କୁ ହଟାଇବାକୁ ଆହ୍ୱାନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ନାମରେ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ ରହିଛି। ଏଥିରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯିବା ସହ ନିରୀହ ଜନତାଙ୍କ ଉପରେ ଦମନ କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ଜଳ, ଜଙ୍ଗଲ, ଜମି ନାମରେ ମାଓବାଦୀମାନେ ମିଛ ଲଢ଼େଇ କରୁଥିବା ବେଳେ ଅଣ ଓଡ଼ିଆ ଓ ଅଣ ଆଦିବାସୀ ମାଓନେତାମାନେ ଆଦିବାସୀଙ୍କୁ ନିର୍ଯାତନା ଦେଉଛନ୍ତି।

ଗତ ଫେବୃଆରୀ ମାସରେ ସାଧୁ ପାଙ୍ଗୀ, ଉଚ୍ଛା ମୁଦୁଲି ଓ ଦୀନବନ୍ଧୁ ସରକାରଙ୍କୁ ପୁଲିସ ସୂଚନାଦାତା ଭାବେ ହତ୍ୟା କରାଯାଇଥିଲା। କରୋନା ମହାମାରୀ ସମୟରେ ମାଓବାଦୀମାନେ ଶହ ଶହ ଲୋକଙ୍କୁ ଏକତ୍ରିତ କରି ବୈଠକ ଆୟୋଜନ କରି ସାମାଜିକ ଦୂରତା ନିୟମର ଖିଲାପ କରିବା ସହ ସରକାର ଦେଇଥିବା ୩ ମାସର ଭତ୍ତା ଓ ରାସନକୁ ମାଓବାଦୀମାନେ ବନ୍ଧୁକ ମୁନରେ ଲୁଟ କରିଛନ୍ତି। ତେଣୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପୋଷ୍ଟର ଜରିଆରେ ଆହ୍ୱାନ ଦିଆଯାଇଛି।

ଗୁରୁପ୍ରିୟା ସେତୁ ହେବାପରେ ଅଞ୍ଚଳର ରାସ୍ତାଘାଟ, ପାନୀୟଜଳ ସୁବିଧା, ବସ ସେବା, ଭଳି ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ସମସ୍ତେ ମିଳିମିଶି ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ ନକଲେ ସ୍ୱାଭିମାନ ଅଞ୍ଚଳର ବିକାଶ ଅସମ୍ଭବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ବିସ୍ଥାପିତ ହୋଇଥିବା ଭାଇଭଉଣୀଙ୍କୁ ପୁଣି ତାଙ୍କର ଭିଟାମାଟିକୁ ଫେରାଇ ଆଣିବାକୁ ପ୍ରୟାସ କରିବା ସହ ଏକଜୁଟ ହୋଇ ମାଓବାଦୀଙ୍କୁ ଏହି ଅଞ୍ଚଳରୁ ହଟାଇବାକୁ ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।