ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସହଯୋଗରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଭିଜିଲାନ୍ସ ଡିଏସପି ଯୋଗେଶ ପଟେଲ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ମିଶନ ଶକ୍ତି ମହିଳାମାନେ ହାତରେ ପ୍ଲାକାର୍ଡ ଓ ଦୁର୍ନୀତିକୁ ବିରୋଧ କରିବା: ରାଷ୍ଟ୍ର ପ୍ରତି ସମର୍ପିତ ହେବା ସ୍ଲୋଗାନ ଦେଇ ଦୁର୍ନୀତି ନିବାରଣ ଶୋଭାଯାତ୍ରା ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ । ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକ ଶ୍ରୀ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା, ସମାଜ ମଙ୍ଗଳ ବିଭାଗ ଅଧିକାରୀ ନରହରି ସିଂ ଓ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ମୁଖ୍ୟବକ୍ତା ଭାବେ ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ମହାରଣା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଦୁର୍ନୀତି ନିବାରଣ ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ତର୍କ ସହ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।