ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ତାଗିଦ: କଶ୍ମୀର କଟକଣା ସମ୍ପର୍କିତ ସବୁ ପ୍ରଶ୍ନର ଜବାବ ଦିଅ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରତ୍ୟେକ କଟକଣା ସମ୍ପର୍କିତ ପ୍ରଶ୍ନର ଯଥାର୍ଥ ଉତ୍ତର ଦେବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କର ତିନିଜଣିଆ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ସଲିସିଟର୍ ଜେନେରାଲ ତୁଷାର ମେହଟ୍ଟାଙ୍କ ଜରିଆରେ ଜମ୍ମୁ-କଶ୍ମୀର ପ୍ରଶାସନକୁ ଆବେଦନକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ କରିଥିଲେ। ଖଣ୍ଡପୀଠ ମେହଟ୍ଟାଙ୍କୁ କହିଥିଲେ, ଆପଣଙ୍କ କାଉଣ୍ଟର ଶପଥ ପାଠ ଆମ ନିଷ୍ପତ୍ତିକୁ ବଦଳାଇପାରିବନି। ଆବେଦନକାରୀଙ୍କ ପକ୍ଷରୁ ପଚରାଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ।

ଆପଣ ଏ ମାମଲା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉନାହାନ୍ତି। ତିନିଜଣିଆ ଖଣ୍ଡପୀଠର ଅନ୍ୟ ଦୁଇ ସଭ୍ୟ ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ବିଆର୍ ଗାଭାଇଙ୍କୁ ବୁଝାଇବାକୁ ଯାଇ ମେହଟ୍ଟା କହିଥିଲେ ଯେ ଜମ୍ମୁ-କଶ୍ମୀରରେ କଟକଣା ଜାରି କରାଯାଇଥିବା ଅଭିଯୋଗ ଠିକ୍ ନୁହେଁ। ସାଧାରଣ ନାଗରିକଙ୍କ ପାଇଁ କଟକଣାର ପ୍ରଶ୍ନ ନାହିଁ। କିଛି ସନ୍ଦିଗ୍ଧ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ ପ୍ରଶାସନ ତରଫରୁ ସାମାନ୍ୟ କଡ଼ା ନଜର ରଖାଯାଇଛି।

ସଲିସିଟର୍ ଜେନେରାଲ ମେହଟ୍ଟା ଯୁକ୍ତି କରିଥିଲେ ଯେ ଜମ୍ମୁ-କଶ୍ମୀରରେ ପିଲାଙ୍କ ଶିକ୍ଷା ଅଧିକାରକୁ ଗୁରୁତ୍ୱ ଦେଇ କେହି କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରୁନାହାନ୍ତି। କିନ୍ତୁ ଇଣ୍ଟରନେଟ୍ ଅଧିକାରକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ଶ୍ରୀନଗରରୁ ନିୟମିତ ଭାବେ ସମ୍ବାଦପତ୍ର ପ୍ରକାଶନ, ରେଡିଓ ଓ ଟିଭି ପ୍ରସାରଣ ଚାଲିଛି। ସବୁ ସ୍କୁଲଗୁଡ଼ିକରେ ନିୟମିତ ଶିକ୍ଷା ପ୍ରଦାନ ଚାଲିଛି। ଇତିମଧ୍ୟରେ ପ୍ରାୟ ୭ ଲକ୍ଷ ଲୋକ ସ୍ୱାସ୍ଥ୍ୟସେବାରେ ଉପକୃତ ହୋଇଥିବା ଦର୍ଶାଇ ଆବେଦନକାରୀଙ୍କ ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟତୀତ ଆଉ କିଛି ନୁହେଁ।