ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ଚାଲିଥିବା ମାଓଦମନ ଅଭିଯାନକୁ ଆଉ ଏକ ସଫଳତା ମିଳିଛି। ମ.ରାମପୁର ଥାନା ଅଧୀନସ୍ଥ ବାରବନ୍ଧା ରିଜର୍ଭ ଜଙ୍ଗଲରେ ଘନ ମାଝୀ ନାମକ ମାଓବାଦୀ ମିଲିସିଆ ମାଓବାଦୀ ମାନଙ୍କୁ ବିସ୍ପୋରକ ସାମଗ୍ରୀ, ଖାଦ୍ୟ ପଦାର୍ଥ, ମାଓ ପ୍ରଚାର ପତ୍ର ଯୋଗାଇ ଦେଉଥିଲା। ଏସମ୍ପର୍କରେ କଳାହାଣ୍ଡି ଏସପି ଡା. ବାତୁଲା ଗଙ୍ଗାଧର ବିଶେଷ ସୂତ୍ରରୁ ଖବର ପାଇଥିଲେ। ପରେ ପୁଲିସମାନେ ମାଓବାଦୀ ଶ୍ରୀ ମାଝୀର ଗତିବିଧି ଉପରେ ବିଶେଷ ନଜର ରଖିଥିଲେ। ଏସପି ଶ୍ରୀ ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ମାଓଦମନ ଦାୟିତ୍ୱରେ ଥିବା ଯବାନମାନେ ତୁରନ୍ତ ବାରବନ୍ଧା ଜଙ୍ଗଲ ଘେରାଉ କରିବା ସହିତ ତଦନ୍ତ କରି ମାଓବାଦୀ ମିଲିସିଆ ଘନ ମାଝୀକୁ ଧରିବାରେ ସଫଳ ହୋଇଛନ୍ତି। ଏ ସଂକ୍ରାନ୍ତରେ ମ.ରାମପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ମାଓବାଦୀକୁ କୋର୍ଟଚାଲାଣ କରାଯାଇଛି।