ଓପିଜିସିକୁ ମିଳିଲା ୨୦ ତମ ବାର୍ଷିକ ଗ୍ରୀନଟେକ ପରିବେଶ ପୁରସ୍କାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନହରପାଲି ଇବ ଥର୍ମାଲସ୍ଥିତ ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍(ଓପିଜିସି)କୁ ମିଳିଛି ସମ୍ମାନନୀୟ ୨୦ ତମ ବାର୍ଷିକ ଗ୍ରୀନଟେକ ପରିବେଶ ପୁରସ୍କାର-୨୦୨୦। ତାମିଲନାଡୁର ମହାବଲିପୁରମ ଠାରେ ଅନୁଷ୍ଠିତ ଗ୍ରୀନଟେକ ବାର୍ଷିକ ସମ୍ମିଳନୀରେ ଓପିଜିସିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓପିଜିସି ତା’ର ଆଖପାଖ ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି ଓ ପରିବେଶ ପ୍ରଦୂଷଣକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ତାକୁ ଏହି ପୁରସ୍କାର ମିଳିଛି।

ଗ୍ରୀନଟେକ୍ ପୁରସ୍କାର କମିଟିର ବିଚାରକମାନେ ଓପିଜିସି କରୁଥିବା କାମକୁ ପ୍ରଶଂସା କରିବା ସହିତ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓପିଜିସି ପକ୍ଷରୁ ମ୍ୟାନେଜର (ପରିବେଶ) ପାର୍ଥସାରଥି ପଣ୍ଡା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓପିଜିସି ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଗ୍ରୀନଟେକ ପରିବେଶ ପୁରସ୍କାର ପାଇବା ପାଇଁ ସବୁଜ କଭରେଜ୍ ୩୩% ଆବଶ୍ୟକ ହେଉଥିବାବେଳେ ଓପିଜିସର ସବୁଜ କଭରେଜ୍ ୩୪.୬% ରହିଛି। ଓପିଜିସି ଦ୍ୱାରା ପରିବେଶ ସନ୍ତୁଳନ ପାଇଁ ପ୍ରତିବର୍ଷ ବ୍ୟାପକ ବୃକ୍ଷରୋପଣ କରାଯାଏ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆଖପାଖର ସ୍କୁଲ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଲୋକେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି।