ବଲାଙ୍ଗୀର ପୁଲିସର ଆଂଟି ଡ୍ରଗ୍ସ ଅଭିଯାନ

ପ୍ରଥମ ଥର ପାଇଁ ସହର କରିକ୍ରମା କଲା ସଚେତନତା ଶୋଭାଯାତ୍ରା

ବଲାଙ୍ଗୀର,ଏନଏନଏସ : ବେଆଇନ କୋଡିନ ଯୁକ୍ତ କଫ ସିରଫ ଓ ବିଭିନ୍ନ ପ୍ରକାର ନିଶାଯୁକ୍ତ ଟ୍ୟାବଲେଟ କାରବାରର ବଲାଙ୍ଗୀର ପେଣ୍ଠସ୍ଥଳି ପାଲଟିଛି । ଗୋଟାଏ ପ୍ରକାର ଦେଖିଲେ ପଶ୍ଚିମ ଓଡ଼ିଶାରେ ଚାଲିଥିବା ବେଆଇନ ନିଶା କାରବାରର ହବ ପାଲଟିଛି ବଲାଙ୍ଗୀର । ନିକଟରେ ପୁଲିସ ୨୭ ହଜାର ବୋତଲ କୋଡିନଯୁକ୍ତ ଏସକଫ ସିରଫ ବଲାଙ୍ଗୀର ତଥା ପାଟଣାଗଡରୁ ଜବତ କରିଛି । ବିଗତ ଏକ ବର୍ଷ ଭିତରେ ପୁଲିସ ଏହି କାରବାର କରୁଥିବା ଅଭିଯୋଗରେ ୨୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନାରେ ଏନଡିପିଏସ ଭଳି ଧାରାରେ ମାମଲା ରୁଜୁ କରିଛି । ତଥାପି ମଧ୍ୟ ଏହି କାରବାର ଉପରେ ସମ୍ପୁର୍ଣ୍ଣ ଭାବେ ଅଙ୍କୁଶ ଲଗା ଯାଇପାରିନାହିଁ ।

କେବଳ ଆଇନର ପରିଧି ଭିତରେ ରହି ଏହି କାରବାର ଉପରେ ସମ୍ପୁର୍ଣ୍ଣ ଭାବେ ରୋକ ଲଗାଇବା ଏକ ପ୍ରକାର ଅସମ୍ଭବ ବୋଲି ପୁଲିସ ଅନୁଭବ କରୁଛି । ଏହି କାରବାରକୁ ରୋକିବାରେ ଜନସାଧାରଣଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଜନସାଧାରଣଙ୍କ ସହଯୋଗରେ ପ୍ରଥମ ଥର ପାଇଁ ପୁଲିସ ସହରରେ ଏକ ଆଂଟି ଡ୍ରଗ୍ସ ଶୋଭାଯାତ୍ରା କରିଛି । ଆଦର୍ଶ ଥାନା ସମ୍ମୁଖରୁ ବାହାରିଥିବା ଶୋଭାଯାତ୍ରାକୁ ବଲାଙ୍ଗୀର ଏସପି ଏମ.ସନ୍ଦୀପ ସମ୍ପତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଆଦର୍ଶ ଥାନାରୁ ବାହାରି କଚେରୀ ଛକ , ସରକାରୀ ବସଷ୍ଟାଣ୍ଡ , ପାଟଣା ହୋଟେଲ ଛକ , ସମଲେଶ୍ୱରୀ ମନ୍ଦିର ଛକ , ଡେଲି ମାର୍କେଟ , ବିକ୍ରମ ଛକ , ପିପି ଏକାଡେମୀ ଛକ , ଭାଗିରଥି ଛକ ଓ ସରକାରୀ ବସଷ୍ଟାଣ୍ଡ ଦେଇ ପୁଣି ଆଦର୍ଶ ଥାନାରେ ପହଂଚିଥିଲେ । ଶୋଭାଯାତ୍ରା ସମୟରେ ବିଭିନ୍ନ ଛକରେ ପଥପ୍ରାନ୍ତ ସଭା କରାଯାଇ ଡ୍ରଗ୍ସରୁ ଦୁରେଇ ରହିବା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିଲା ।

ଶୋଭାଯାତ୍ରାରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ , ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ , ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ । ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ଆଦର୍ଶ ଥାନା ପରିସରରେ ଏକ ଶୋଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସପି କହିଥିଲେ , କେବଳ ଆଇନର ଉପଯୋଗ କରି ଏହି କାରବାରକୁ ରୋକା ଯାଇ ପାରିବ ନାହିଁ । ଏଥିପାଇଁ ବ୍ୟାବକ ସଚେତନତାର ଆବଶ୍ୟକତା ରହିଛି । ବଜାରରେ ଚାହିଦା ଥିବା ପର୍ଯ୍ୟନ୍ତ କୌଣସି ସାମଗ୍ରୀର ଯୋଗାଣ ରହିଥାଏ । ବଜାରରେ ଚାହିଦା କମିଗଲେ ଆପେଆପେ ସେହି ସାମଗ୍ରୀର ବିକ୍ରି କମିଯାଏ । ତେଣୁ ଯେଉଁଭାମେ ଏହି କଫ ସିରଫ ଭଳି ମାରାତ୍ମକ ଡ୍ରଗ୍ସ ସେବନ କରୁଛନ୍ତି କିମ୍ବା ନିଶା ଟ୍ୟାବଲେଟ ଖାଉଛନ୍ତି ସେମାନଙ୍କୁ ସେହି ନିଶାରୁ ଦୁରେଇ ରଖିବାକୁ ପଡ଼ିବ ।

ଫଳରେ ଏହି କାରବାର ଉପରେ ଲଗାମ ଲଗାଯାଇ ପାରିବ ବୋଲି ଏସପି କହିଥିଲେ । ସଭାକୁ ଅତିରିକ୍ତ ଏସପି ସୁବାଷ ଜମାଦାର ସଂଯୋଜନା କରିଥିବା ବେଳେ ଡ୍ରଗ୍ସ ଆଣ୍ଡ କେମିଷ୍ଟ ଆସୋସିଏସନର ସଭାପତି ମନମୋହନ ରଥ , ନାଗରିକ କମିଟିର ସଭାପତି ବିଷ୍ଣୁପ୍ରସାଦ କେଡିଆ , ଡିଏସପି ପୁରୁଷୋତମ ସେଠୀ ଓ ଏସଡିପିଓ ଶ୍ରୀମନ୍ତ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।