ବାଇକ ଧକ୍କାରେ ଅଙ୍ଗନବାଡି କର୍ମୀ ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ କୀର୍ତ୍ତନପାଲି ଗ୍ରାମଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୀର୍ତ୍ତନପାଲି ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ବେହେରା । ମିଳିଥିବା ରିପୋର୍ଟ ମୁତାବକ, ଆଜି ଦିନ ପ୍ରାୟ ୩ଟାରେ ଗୀତାଞ୍ଜଳି ଛତାବର ପଟୁ ଏକ ବିବାହ ଭୋଜିରେ ଯୋଗଦେଇ ନିଜ ପୁଅ ଓ ଦିଅରଙ୍କ ସହ ତାଙ୍କ ସ୍କୁଟିଯୋଗେ ନିଜ ଗାଁକୁ ଫେରୁଥିବାବେଳେ ଗାଁ ଛକରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ୩ଜଣ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଗୀତାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟ ଗୁରୁତରମାନେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀଙ୍କୁ ଗ୍ରାମବାସୀମାନେ ଅଟକ ରଖି ପୁଲିସର ଜିମା ଦେଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ, ମୃତ ଗୀତାଞ୍ଜଳିଙ୍କ ଉଦ୍ୟମକ୍ରମେ କୀର୍ତ୍ତନପାଲି ଗ୍ରାମରେ ପ୍ରତିଦିନ ଗ୍ରାମବାସୀମାନେ ଏକତ୍ରିତ ହୋଇ ଜାତୀୟ ସଂଗୀତ ଗାନ କରିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣର ପରମ୍ପରା ପ୍ରତିଷ୍ଠା ହୋଇଛି । ଗ୍ରାମରେ ପରିବେଶ ସ୍ୱଛତା ନେଇ ଗ୍ରାମବାସୀଙ୍କ ସହଯୋଗରେ ଗୀତାଞ୍ଜଳି ନିଜ ଗ୍ରାମ କୀର୍ତ୍ତନପାଲିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।