ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମ୍ପ୍ରତିକ କୋଭିଡ ସ୍ଥିତିକୁ ଦେଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚଳିତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ସ୍ଥିତିରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନ କରିବେ । କରୋନା ସ୍ଥିତିରେ ଗତକିଛିମାସ ଧରି ରାଜ୍ୟର ସମସ୍ତ ୩ ରୁ ୬ ବର୍ଷ ବୟସର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ସାମଗ୍ରୀ ଦିଆଯାଇଛି । ଶୁଖିଲା ରାସନ ବାବଦକୁ ଛତୁଆ, ବାଦାମ ଲଡୁ, ଚିକି, ଅଣ୍ଡା ଦିଆଯିବା ସହ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୁନାର ପ୍ୟାକେଟ୍ ବଣ୍ଟନ କରାଯାଇଛି ।
ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୦ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଶିଶୁ, ୩ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତି ଉପକୃତ ହେଉଛନ୍ତି । ଏତଦ୍ବ୍ୟତୀତ ଲକ୍ଡାଉନ୍ ପରିପ୍ରେକ୍ଷୀରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖିଲା ରାସନ ବଣ୍ଟନ କରାଯାଇଛି । ପ୍ରକାଶ ଥାଉକି, ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ନିୟୋଜିତ କରି ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ ମଡେଲକୁ ନିକଟରେ ନିତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି ।
ଏହାଦ୍ୱାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଅଧିକ ସ୍ୱଚ୍ଛତା ଆସିପାରିଛି ବୋଲି ନିତି ଆୟୋଗ ପ୍ରକାଶ କରିଛନ୍ତି । ଛତୁଆ ପ୍ରସ୍ତୁତିଠାରୁ ବଣ୍ଟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ‘ମୋ ଛତୁଆ’ ଆପ୍ର ବିକାଶ କରାଯାଇଛି । ଏହି ଆପ୍ର ଉପଯୋଗ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ତଥା ସମସ୍ତ ଆଇସିଡିଏସ୍ କାର୍ଯ୍ୟକର୍ତ୍ତାଙ୍କୁ ନିୟମିତ ତାଲିମ ପ୍ରଦାନ କରାଯାଉଛି । ହିତାଧିକାରୀମାନେ ଏହି ଯୋଜନାରୁ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ ଟେଲି ମନିଟରିଂ ବ୍ୟବସ୍ଥା କରାଯାଉଛି ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ଏହି ବଣ୍ଟନ ସମୟରେ କୋଭିଡ ନିୟମାବଳୀ ପାଳନ କରିବା ପାଇଁ ହିତାଧିକାରୀମାନଙ୍କୁ ସଚେତନ କରିଛନ୍ତି ।