ଟେନିସ୍ ତାଲିକା: କ୍ୟାରିୟର ଶ୍ରେଷ୍ଠ ପଞ୍ଚମରେ ଆନ୍ଦ୍ରେସ୍କୁ

ଲଣ୍ଡନ: ୟୁଏସ୍ ଓପନ୍ ଚାମ୍ପିଅନ୍ କାନାଡାର ବିୟଙ୍କା ଆନ୍ଦ୍ରେସ୍କୁ ଡବ୍ଲୁୃ୍ୟଟିଏ ତାଲିକାରେ ବ୍ୟାପକ ଉନ୍ନତି ଘଟାଇଛନ୍ତି। ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମରେ ୧୫ତମ ସିଡ୍ ରହିଥିବା ଆନ୍ଦ୍ରେସ୍କୁ ଏବେ ୧୦ଟି ସ୍ଥାନରେ ଉନ୍ନତି ଘଟାଇ କ୍ୟାରିୟରର ଶ୍ରେଷ୍ଠ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ମାତ୍ର ଏକ ବର୍ଷ ପୂର୍ବେ ମାନ୍ୟତା ତାଲିକାର ୨୦୦ତମ ସ୍ଥାନରେ ରହିଥିବା ୧୯ ବର୍ଷୀୟା ଆନ୍ଦ୍ରେସ୍କୁ ୨୦୧୮ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମର ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଚଳିତ ବର୍ଷ ଆମେରିକୀୟ ଶ୍ରେଷ୍ଠ ସେରେନା ୱିଲିୟମ୍ସଙ୍କୁ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଟପ୍ ସିଡ୍ ରହିଥିବା ଜାପାନର ନାଓମି ଓସାକା ତିନିଟି ସ୍ଥାନ ତକଳୁ ଖସି ଚତୁର୍ଥରେ ରହିଛନ୍ତି। ପ୍ରଥମ ସ୍ଥାନରେ ୱିମ୍ବଲଡନ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟି ରହିଛନ୍ତି। ସେ ପୂର୍ବରୁ ଦ୍ୱିତୀୟର ରହିଥିଲେ। ୟୁଏସ୍ ଓପନ୍ ରନର୍ସଅପ୍ ସେରେନା ୱିଲିୟମ୍ସ ଏହି ଚାମ୍ପିଅନଶିପର ଫାଇନାଲରେ ପ୍ରବେଶ କରିମଧ୍ୟ ତାଙ୍କ ମାନ୍ୟତାରେ ଅବନତି ଘଟିଛି। ପୂର୍ବରୁ ସେ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଏବେ ନବମକୁ ଖସିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ପ୍ରବେଶ କରିଥିବା ୟୁକ୍ରେନ୍ ଏଲିନା ଭିଟୋଲିନା ଦୁଇଟି ସ୍ଥାନରେ ଉନ୍ନତି ଘଟାଇ ତୃତୀୟରେ ରହିଛନ୍ତି। ଚେକ୍ ରିପବ୍ଲିକର କାରୋଲିନା ପ୍ଲିସ୍କୋଭା ପୂର୍ବରୁ ତୃତୀୟରେ ରହିଥିବା ବେଳେ ଏବେ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରୋମାନିଆର ସିମୋନା ହାଲେପ ଦୁଇଟି ସ୍ଥାନ ତଳକୁ ଖସି ଷଷ୍ଠ, ଚେକ୍ ରିପବ୍ଲିକ୍ର ପେଟ୍ରା ଭିଟୋଭା ଓ ନେଦରଲାଣ୍ଡସର କିକି ବର୍ଟନ୍ସ ଗୋଟିଏ ଲେଖାଏଁ ସ୍ଥାନରେ ଅବନତି କରି ଯଥାକ୍ରମେ ସପ୍ତମ ଓ ଅଷ୍ଟମ ଏବଂ ସୁଇଜରଲାଣ୍ଡର ବେଳିଣ୍ଡା ବେଙ୍କିକ ଦୁଇଟି ସ୍ଥାନ ଉପରକୁ ଉଠି ଦଶମରେ ରହିଛନ୍ତି।