ଓଡ଼ିଶା ଅବହେଳାର ସୁଯୋଗ ନେଉଛି ଆନ୍ଧ୍ର

କୋରାପୁଟ,ଏନ୍ଏନ୍ଏସ୍ : ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଥିବାବେଳେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ବିକାଶ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଓଡ଼ିଶା ବାସିନ୍ଦା ଆନ୍ଧ୍ର ମୁହାଁ ହେଉଛନ୍ତି। ଏହି ସୁଯୋଗରେ ଆନ୍ଧ୍ରର ଦାଦାଗିରି ଦିନକୁଦିନ ବଢ଼ି ଚାଲିଛି। ଲୋକଙ୍କୁ ଓଡ଼ିଶା ମୁହାଁ କରିବାକୁ ରାଜ୍ୟ ସରକାର କୋଟିଆର ବିକାଶ ପାଇଁ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ଯୋଜନା କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା କୋଟିଆରେ କ୍ଲଷ୍ଟର ହାଉସ, ଥାନା ଓ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କୋଟିଆରେ ବିଏସଏନଏଲ ଟାୱାର ସ୍ଥାପନ କରାଯାଇଛି କିନ୍ତୁ ଠିକଭାବେ କାମ କରୁ ନଥିବା ଜଣାପଡ଼ିିଛି। ଜଳ ସେଚନ ଓ ମାଛ ଚାଷ ନିମନ୍ତେ ତଳଗଞେଇପଦର ଗ୍ରାମବାସୀ ଜଳ ବିଭାଜିକା ବିଭାଗକୁ ପୋଖରୀ ଖୋଲିବାକୁ ନିବେଦନ କରିଥିଲେ। ହେଲେ ୨ ବର୍ଷ ପରେ ମଧ୍ୟ ପୋଖରୀ ଖୋଳାନଯିବାରୁ ଲୋକେ ଆନ୍ଧ୍ର ସରକାରଙ୍କୁ ନିବେଦନ କରିବାରୁ ତୁରନ୍ତ ଆନ୍ଧ୍ର ତରଫରୁ ପୋଖରୀ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ରାସ୍ତା ପାଇଁ ସ୍ଥାନୀୟ ବିଧାୟକଙ୍କୁ ନେଇ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାସତ୍ତେ୍ୱ କାର୍ଯ୍ୟ ଆରମ୍ଭ ନ ହେବାରୁ ଗ୍ରାମବାସୀ ନିଜେ ଶ୍ରମ ଦାନ କରି ରାସ୍ତା ମରାମତି କରିଥିଲେ। ଏପରିକି ତଳଗଞେଇପଦର ଗ୍ରାମରେ ଓଡ଼ିଶା ସରକାରଙ୍କ ତରଫରୁ ୨୫ଟି ନୂତନ ଗୃହ ନିର୍ମାଣ କରାଯାଇଛି କିନ୍ତୁ ବିଦ୍ୟୁତ ଆନ୍ଧ୍ର ସରକାର ମାଗଣାରେ ପ୍ରଦାନ କରିଥିବା ଜଣାପଡ଼ିଛି। ଆନ୍ଧ୍ର ପ୍ରଶାସନ ତରଫରୁ ତଳସେମ୍ବି, ଉପରସେମ୍ବି ଓ ତଳଗଞ୍ଜେଇପଦରରେ ପୋଖରୀ ଖୋଳା ଯାଇଥିବା ପଟ୍ଟାଙ୍ଗୀ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ସୂଚନା ଦେଇଛନ୍ତି। ଆନ୍ଧ୍ରର ବିଦ୍ୟୁତ ବିଭାଗ କର୍ମଚାରୀ ଗାଁକୁ ଆସି ଲୋକଙ୍କ ବିଦ୍ୟୁତ ସମସ୍ୟା ବୁଝୁଥିବା ଜଣାପଡ଼ିଛି। ଆନ୍ଧ୍ର ପ୍ରଶାସନର କାର୍ଯ୍ୟଗୁଡ଼ିକ ତଦାରଖ କରିବାକୁ ପଟ୍ଟାଙ୍ଗୀ ବିିଡିଓ ମୋନାଲିସା ଦେବତା, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ରାଜସ୍ୱ ସୁପରଭାଇଜର ରଘୁନାଥ ଖଟେଇ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ସହ ଆଲୋଚନା କରିଛନ୍ତି।