ଆନ୍ଧ୍ର ସରକାର ଦେଲେ ଏକକାଳୀନ ୧.୨୬ ଲକ୍ଷ ସରକାରୀ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀ ସରକାର ଇତିହାସ ରଚିଛନ୍ତି। ଆନ୍ଧ୍ର ସରକାର ଗୋଟିଏ ଦିନରେ ୧ ଲକ୍ଷ ୨୬ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସୋମବାର ବିଜୟୱାଡାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୱାଇ. ଏସ୍ ଜଗନମୋହନ ରେଡ୍ଡୀ ଏହି ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆନ୍ଧ୍ର ପ୍ରଦେଶରେ ଥିବା ୧୧,୧୫୮ଟି ଗ୍ରାମ ଏବଂ ୩,୭୮୬ଟି ୱାର୍ଡରେ ପୃଥକ୍ ପୃଥକ୍ ଭାବେ ସଚିବାଳୟ ଖୋଲିବାକୁ ଯାଉଛି। ଏହି ସଚିବାଳୟରେ ନିଯୁକ୍ତି ପାଇଁ ସରକାର ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମୋଟ ୧ ଲକ୍ଷ ୨୬ ହଜାର ୭୨୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏଥିପାଇଁ ୨୧ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ।

ସେପ୍ଟେମ୍ବର ୧ରୁ ୮ ତାରିଖ ଯାଏଁ ଲିଖିତ ପରୀକ୍ଷାର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୋଟ ୧୯.୫୦ ଲକ୍ଷ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୬ ହଜାର ୭୨୮ ଜଣଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ପ୍ରଦାନ ଦେଶର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ମାତ୍ର ଦୁଇମାସର ଅବଧି ମଧ୍ୟରେ ଦେଶର କୌଣସି ବି ସରକାର ଏତେବଡ଼ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପାଦିତ କରିପାରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଗନମୋହନ କହିଛନ୍ତି। ଗ୍ରାମାଞ୍ଚଳ ଓ ୱାର୍ଡସ୍ତରରେ ଗଠିତ ସଚିବାଳୟ ଆସନ୍ତା ଡିସେମ୍ବର ମାସରୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।