ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ଫେରିଲେ ଫସିଥିବା ୪୫ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରୁ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ବିଇଡ଼ି ପରୀକ୍ଷା ଦେବାକୁ ଆସି ଫସି ଥିବା ୪୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଫେରିଛନ୍ତି । ପ୍ରକାଶଥାଉକି, ଆନ୍ଧ୍ରପ୍ରଦେଶ ପ୍ରକାଶସମ୍ ଜିଲ୍ଳାର ମାର୍କାପୁରମ୍‌କୁ ବିଇଡ଼ି ପରୀକ୍ଷା ଦେବା ପାଇଁ ଓଡ଼ିଶାରୁ ୧୫୦ ଜଣ ଛାତ୍ରଛାତ୍ରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୦୫ ଜଣ ଛାତ୍ରଛାତ୍ରୀ ମାର୍ଚ୍ଚ ୧୯ ତାରିଖ ଦିନ ଓଡ଼ିଶା ଫେରି ଯାଇଥିବା ବେଳେ ଅନ୍ୟ ୪୫ ଜଣ ଜଣ ଛାତ୍ରଛାତ୍ରୀ ଫେରି ପାରିନଥିଲେ । କୋରନା ଭାଇରସ୍ କାରଣରୁ ସାରା ରାଜ୍ୟ ଲକ୍‌ଡାଉନ୍ ହୋଇଯାଇଥିଲା । ଯାହା ଫଳରେ ଉକ୍ତ ପିଲାମାନେ ଘରକୁ ଫେରିପାରି ନଥିଲେ ଏବଂ ଦୋକାନବଜାର ସବୁ ବନ୍ଦ ହେବା କାରଣରୁ ସେମାନେ ଭୋକଉପାସରେ ସେଠାରେ ପଡ଼ି ରହିଥିଲେ ।

ଏ ନେଇ କିଛି ଛାତ୍ରଛାତ୍ରୀଙ୍କର ଅଭିଭାବକ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହୋଦୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ । ତତ୍ ସଂଗେ ସଂଗେ ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନ ଫସିଥିବା ପିଲାମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ପଠାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ର ସରକାର ବ୍ୟବସ୍ଥା କରି ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ଓଡ଼ିଶା ପଠାଇଛନ୍ତି ବୋଲି ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନଙ୍କ ବ୍ୟକ୍ତିଗତ ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ।