କୋଟିଆରେ ତେଲୁଗୁ ଭାଷା ପ୍ରସାର ପାଇଁ ଆନ୍ଧ୍ରର ଷଡ଼ଯନ୍ତ୍ର

  • କୋରାପୁଟ: କୋଟିଆ ପଞ୍ଚାୟତରେ ତେଲୁଗୁ ଭାଷାର ପ୍ରସାର ପାଇଁ ଆନ୍ଧ୍ର ଷଢ଼ଯନ୍ତ୍ର କରିଛି। ବାତ୍ୟା ରାତ୍ରିରେ ଆନ୍ଧ୍ର ତେଲୁଗୁ ଭାଷାରେ ଫାଟୁସିନେରୀରେ ଫଳକ ଲଗାଇଛି। କୋଟିଆ ବିବାଦୀୟ ଗ୍ରାମରେ ତେଲୁଗୁ ଭାଷାର ଅଧିକ ପ୍ରସାର ପାଇଁ ଆନ୍ଧ୍ର ଅଣ୍ଟା ଭିଡ଼ିଛି। ତେଣୁ ‘ଗୁଲାବ’ ବାତ୍ୟା ରାତ୍ରିରେ କୋଟିଆର ବିବାଦୀୟ ଗ୍ରାମ ଫାଟୁସିନେରୀ ଏବଂ ହରମାଣ୍ଡିଂ ଛକରେ ଆନ୍ଧ୍ର ପକ୍ଷରୁ ଫଳକ ପୋତାଯାଇଛି। କୋଟିଆ ଅଞ୍ଚଳରେ ଥିବା ଆନ୍ଧ୍ର ଏଜେଣ୍ଟମାନେ ଆନ୍ଧ୍ର ଅଧିକାରୀଙ୍କ ପ୍ରରୋଚନାରେ ଫାଟୁସିନେରୀରେ ଗ୍ରାମ ନାମ ଫଳକ ପୋତିଥିବା ବେଳେ ଅନ୍ୟ ଏକ ଫଳକ ହରମାଣ୍ଡିଂ ଛକରେ ପୋତିଛନ୍ତି।
    ଫାଟୁସିନେରୀରେ ଲଗାଯାଇଥିବା ଫଳକ କେବଳ ଫାଟୁସିନେରୀ ଗ୍ରାମ ନାମ ରହିଥିବାବେଳେ ହରମାଣ୍ଡିଂ ଛକରେ ଲାଗିଥିବା ବୋର୍ଡରେ ଉକ୍ତ ଅଞ୍ଚଳର ବିଭିନ୍ନ ଗ୍ରାମର ନାମ ଲେଖି ଲଗାଯାଇଛି। କେଉଁ ଗ୍ରାମ କେଉଁ ଦିଗକୁ ରହିଛି ଉକ୍ତ ବୋର୍ଡର୍ର ସଙ୍କେତ ଦିଆଯାଇଛି। ବିଶେଷକରି କୋଟିଆରେ ତେଲୁଗୁ ଭାଷାର ପ୍ରସାର ପାଇଁ ଆନ୍ଧ୍ର ଏଜେଣ୍ଟମାନେ ଅହରହ ଉଦ୍ୟମ କରିଆସୁଛନ୍ତି। ଏହି ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ୧୫ ହଜାର ଟଙ୍କା ଲୋଭନୀୟ ପ୍ୟାକେଜରେ ନିଯୁକ୍ତ ପାଇଥିବା ଏହି ଏଜେଣ୍ଟମାନଙ୍କୁ ଆନ୍ଧ୍ର ସଂଯୋଜକଭାବେ ନିଯୁକ୍ତି ଦେଇଛି। ସେମାନେ ପୂର୍ବରୁ କୋଟିଆରେ ଶିଶୁମାନଙ୍କୁ ତେଲୁଗୁ ଶିକ୍ଷା ପ୍ରଦାନର ଦାୟିତ୍ୱ ନେଇଛନ୍ତି। ଶିକ୍ଷାଦାନ ସହିତ ସେମାନେ ଆନ୍ଧ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗାଁରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ପାଠ ପଢ଼ିବା ପାଇଁ ସାଲୁର ତହସିଲରୁ ଆଦିବାସି ସାର୍ଟିଫିକେଟ ଯୋଗାଇବା ସହିତ ପ୍ରାଥମିକ ଶିକ୍ଷା ପରେ ଆନ୍ଧ୍ର ହଷ୍ଟେଲ ସ୍କୁଲରେ ଉଚ୍ଚ ଶ୍ରେଣୀରେ କିଭଳି ନାମ ଲେଖାଯିବ ତାହାର ବ୍ୟବସ୍ଥା କରୁଛନ୍ତି। ଏବେ ଫଳକ ପୋତି ପୁଣିଥରେ କୋଟିଆରେ ଆନ୍ଧ୍ର ନିଜ ଦାଦାଗିରି ଜାହିର କରିଛି।