୩୩ କେଭି ବିଦ୍ୟୁତ୍ ଲାଗି ଗୁରୁତର ଆଇଟିଆଇ ଛାତ୍ରଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସମ୍ବଲପୁର,ଏନ୍ଏନ୍ଏସ୍: ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତକାଲି ଗୁରୁତର ଭାବେ ଆହତ ହୋଇଥିବା ଆଇଟିଆଇ ଛାତ୍ରର ଆଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ଗତକାଲି ବଲାଙ୍ଗିରର ଶାନ୍ତିପଡ଼ା ଠାରେ ଏକ ଭଡ଼ା ଘର ଛାତରେ ଲୁଗା ଶୁଖାଉଥିବା ବେଳେ ଆଇଟିଆଇ ଛାତ୍ର ସୌମ୍ୟରଞ୍ଜନ ଭୋଇ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏଥିରେ ତାଙ୍କୁ ଏକ ବିରାଟ ଝଟକା ଲାଗିବା ସହ ତାଙ୍କ ଶରୀରର ଅଧିକାଂଶ ପୋଡ଼ି ଯାଇଥିଲା। ସେଠାରୁ ତାଙ୍କୁ ଊଦ୍ଧାର କରାଯାଇ ପ୍ରଥମେ ବଲାଙ୍ଗିରର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁରର ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଆଜି ସକାଳେ ସୌମ୍ୟରଞ୍ଜନ ଭୋଇଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୌମ୍ୟରଞ୍ଜନ ଭୋଇଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପଲି ଥାନା ଅନ୍ତର୍ଗତ ତମାମୁଣ୍ଡା ଗାଁରେ ଏବଂ ସେ ବଲାଙ୍ଗିର ସରକାରୀ ଆଇଟିଆଇର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଏହି ଘଟଣା ଏବେ ବଲାଙ୍ଗିର ଓ ସୂବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।