ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ମୋଦୀ ସରକାର ଦ୍ୱିତୀୟ କିସ୍ତିରେ ୮୯୦ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଉକ୍ତ ଟଙ୍କା ଦିଆଯାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ତାମିଲନାଡ଼ୁ ଆଦି ରାଜ୍ୟ ସାମିଲ ଅଛନ୍ତି। କେନ୍ଦ୍ରର ଏହି ଅନୁଦାନ କୋଭିଡ ହସ୍ପିଟାଲ, ଆଇସିୟୁ, ଭେଣ୍ଟିଲେଟର, ଟେଷ୍ଟିଂ କିଟ୍, ଔଷଧ ଓ ଆବଶ୍ୟକୀୟ ଉପକରଣ ଆଦିରେ ଖର୍ଚ୍ଚ ହେବ। ଏଥିସହିତ ଡାକ୍ତର ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ସ୍ୱେଚ୍ଛାକର୍ମୀଙ୍କୁ ଟ୍ରେନିଂ ଦିଆଯିବ। ଏହାପୂର୍ବରୁ ଗତ ଏପ୍ରିଲ ମାସରେ କେନ୍ଦ୍ର ସରକାର ମେଡିକାଲ ଭିତ୍ତିଭୂମି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। କେନ୍ଦ୍ର ପ୍ରଦାନ କରିଥିବା ଏହି ଅନୁଦାନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।