ଖନ୍ତାପଡାରେ ରେ ଥିବା ଫାଲକନ ଚିଙ୍ଗୁଡି ପ୍ରସେସିଂ ପ୍ଲାଂଟରେ ଅଘଟଣ : ଆମୋନିଆ ଗ୍ୟାସ ଲିକ, ୩୦୦ ଶ୍ରମିକ ଅସୁସ୍ଥ

ବାଲେଶ୍ୱର, ଏନଏନଏସ୍ : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ ଖନ୍ତାପଡାରେ ଥିବା ଫାଲକନ ଚିଙ୍ଗୁଡି ପ୍ରସେସିଂ ପ୍ଲାଂଟରେ ବୁଧବାର ରାତିରେ ଅଘଟଣ ଘଟିଛି। ଚିଙ୍ଗୁଡି ପ୍ରସେସିଂ ଚାଲୁଥିବା ବେଳେ ପ୍ଲାଂଟରେ ହଠାତ ଆମୋନିଆ ଗ୍ୟାସ ଲିକ ହୋଇଯିବା ଫଳରେ ସେଠାରେ କାର୍ଯ୍ୟ କରୁଥିବା ପ୍ରାୟ ୩୦୦ କର୍ମଚାରୀ ଏଥିରେ ଅକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ଖନ୍ତାପଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।

ସୂଚନା ଅନୁସାରେ,ଖନ୍ତାପଡା ଠାରେ ଥିବା ଫାଲକନ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଂଟରେ ଚିଙ୍ଗୁଡି ପ୍ରୋସେସିଂ କାର୍ଯ୍ୟ କରାଯାଉଥିଲା। ରାତି ପ୍ରାୟ ୯ଟା ପାଖାପାଖିରେ ପ୍ଲାଂଟରୁ ହଠାତ ଆମୋନିଆ ଗ୍ୟାସ ଲିକ ହୋଇଯାଇଥିଲା। ଉକ୍ତ ସମୟରେ ୩୦୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ। ତେବେ ସମସ୍ତ ଶ୍ରମିକମାନେ ଏହି ଗ୍ୟାସରେ ଆକ୍ରାନ୍ତ ହୋଇ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ସେମାନଙ୍କୁ ତୁରନ୍ତ ଖନ୍ତାପଡା ମେଡିକାଲକୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଏହାସହ ସେମାନଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ଗୁରୁତରମାନଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ଏହି ଆମୋନିଆ ଗ୍ୟାସରେ ଆକ୍ରାନ୍ତ ଜଣେ ବ୍ୟକ୍ତିର ଦେହହାତ କୁଣ୍ଡେଇ ହେବା ସହ ଦେହ ଫଳିଯାଇଥାଏ। ଏପରିକି ତୁରନ୍ତ ସେମାନଙ୍କୁ ଜ୍ୱର ମଧ୍ୟ ଆସିଥାଏ। ଏହି ଗ୍ୟାସ ଏତେ ମାରାତ୍ମକ ହୋଇଥାଏ ଯେ ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଯିବାର ଅଧିକ ସମ୍ଭାବନା ରହିଛି। ବର୍ତମାନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଲେ ବାଲେଶ୍ୱର ଜିଲ୍ଲାପାଳ , ଏସପି ବୋଲି ସୂଚନା ମିଳିଛି। ତେବେ ଏହି ଆମୋନିଆ ଗ୍ୟାସ କେଉୁଁ ପରିସ୍ଥିତିରେ ଲିକ ହେଲା ତାହାର ବର୍ତମାନ ପର୍ଯ୍ୟନ୍ତ ସଠିକ କାରଣ ଜଣାପଡ଼ି ନାହିଁ। ହେଲେ ଏଥିରେ ଆକ୍ରାନ୍ତ ହୋଇଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିବା ବେଳେ ଖନ୍ତାପଡା ମେଡିକାଲ ଏବେ ଲୋକରଣ୍ୟ ହୋଇଯାଇଛି।