ଗୁଜରାଟ ପୌର ନିର୍ବାଚନ: ଅହମ୍ମଦାବାଦରେ ଭୋଟ୍ ଦେଲେ ଅମିତ୍ ଶାହ

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରିବାର ସହ ଯାଇ ମତଦାନ କରିଛନ୍ତି। ଏହି ଅବସରରେ ସେ କାମନାଥ ମହାଦେବ ମନ୍ଦିରକୁ ସପରିବାର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେ ଏହି ସମୟରେ ଗଣମାଧ୍ୟମକୁ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ। ଉଲ୍ଲେଖଯୋଗ୍ୟ ରବିବାର ଗୁଜରାଟର ୬ଟି ସହର ଅହମ୍ମଦାବାଦ, ସୁରଟ, ବଦୋଦରା, ରାଜକୋଟ, ଜାମ୍ନଗର ଓ ଭାବନଗରରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା ୨୩ରେ ଭୋଟ୍ ଗଣତି ହେବ। ଏହି ୬ଟି ପୌର ପରିଷଦରେ ମୋଟ୍ ୫୭୫ଟି ଆସନ ପାଇଁ ୨୨୭୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେଥିରୁ ବିଜେପିର ୫୭୭ ପ୍ରାର୍ଥୀ ଥିଲାବେଳେ କଂଗ୍ରେସର ୫୬୬, ଏନ୍ସିପିର ୯୧, ଆପ୍ର ୪୭୦ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକର ୩୫୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ସହିତ ୨୨୮ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଲଢ଼େଇ କରୁଛନ୍ତି। ୧ କୋଟି ୧୪ ଲକ୍ଷ ୬୬ ହଜାର ୯୭୩ ଜଣ ଭୋଟର୍ ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।