ବିଜେପି ଓ ଜେଡିୟୁ ମେଣ୍ଟ ମଜଭୁତ : ଅମିତ

ପାଟନା,ଏଜେନ୍ସି : ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ମଜଭୁତ ସ୍ଥିତିରେ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଗୁରୁବାର ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୈଶାଳୀରେ ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ସମାବେଶରେ ଯୋଗଦେଇ ସେ ସଂଖ୍ୟାଲଘୁ ପରିବାରକୁ ନାଗରିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ‘କୌଣସି ବ୍ୟକ୍ତିଙ୍କର ନାଗରିକତା କାଟିବା ପାଇଁ ସିଏଏ ପ୍ରଣୟନ କରାଯାଇନି। ବିରୋଧୀ ନେତାମାନେ ନାନା କଥା କହି ଯୁବକ ଓ ମୁସଲିମଙ୍କୁ ବିଭ୍ରାନ୍ତ କରିଛନ୍ତି। ସ୍ୱାଧୀନତା ଲାଭ ପୂର୍ବରୁ ପୂର୍ବ ଓ ପଶ୍ଚିମ ପାକିସ୍ତାନରେ ୩୩% ସଂଖ୍ୟାଲଘୁ ଥିଲେ। କିନ୍ତୁ ସ୍ୱାଧୀନତା ଲାଭପରେ ଅଧିକାଂଶ ସଂଖ୍ୟାଲଘୁ ପରିବାରକୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟବାଧକତା କରାଯାଇଛି।

ଏବେସୁଦ୍ଧା ବହୁ ସଂଖ୍ୟାଲଘୁ ପରିବାର ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି। ପଡ଼ୋଶୀ ଦେଶରେ ଉଭୟ ସରକାର ଓ ମୌଳବାଦୀ ଲୋକଙ୍କ ଅମାନୁଷିକ ଅତ୍ୟାଚାର ସହିନପାରି ଭାରତରେ ଆଶ୍ରୟ ନେଇଥିବା ସଂଖ୍ୟାଲଘୁ ପରିବାରକୁ ଭାରତର ନାଗରିକତା ପ୍ରଦାନ କରିବା ପାଇଁ ଭାରତ ସରକାର ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିଛନ୍ତି।’ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଣୀତ ଆଇନକୁ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରୁଛନ୍ତି କାହିଁକି ବୋଲି ଅମିତ ଜାଣିବାକୁ ଚାହିଁଛନ୍ତି। ସେ ପୁଣି କହିଛନ୍ତି, ବାପା ଆଗରେ ଝିଅକୁ ଦୁଷ୍କର୍ମ କରାଯାଉଛି। ସ୍ୱାମୀ ସାମ୍ନାରେ ସ୍ତ୍ରୀ ପ୍ରତି ଅତ୍ୟାଚାର କରାଯାଉଛି। ଗୁରୁଦ୍ୱାର ଓ ମନ୍ଦିରକୁ ଭାଙ୍ଗି ମସଜିଦରେ ପରିଣତ କରି ଦିଆଯାଉଛି। ଏଭଳି ମାନବାଧିକାର ଉଲ୍ଲଙ୍ଘନ କାର୍ଯ୍ୟର ପ୍ରତିକାର ସ୍ୱରୂପ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରାଯାଇଛି।’

ବିହାର ରାଜନୀତିରେ ଚାଲିଥିବା ନାନା ଗୁଜବର ଅବସାନ ଘଟାଇବାକୁ ସେ ଗସ୍ତ କରିଥିବା ଜଣାଇଛନ୍ତି। ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଭାଙ୍ଗିବାର ପ୍ରଶ୍ନ ନାହିଁ। ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏର ନେତୃତ୍ୱ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଁ ନେବେ। ଜେଲରେ ଥାଇ ଲାଲୁ ପ୍ରସାଦ ଯାଦବ ପୁଣି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। ଲାଲୁଙ୍କ ଅମଳରେ ବିହାରର ଅଭିବୃଦ୍ଧି ହାର ମାତ୍ର ୩% ଥିଲା। ନୀତୀଶ କୁମାରଙ୍କ ଶାସନରେ ତାହା ୧୧%ରେ ପହଞ୍ôଚଛି। ବିହାରବାସୀ ଲାଲୁଙ୍କ ଜଙ୍ଗଲରାଜର ଅବସାନ ଘଟାଇ ଏନ୍ଡିଏକୁ କ୍ଷମତାସୀନ କରିଛନ୍ତି। ଆଗାମୀ ନିର୍ବାଚନରେ ଏନ୍ଡିଏକୁ ନିଶ୍ଚିତରୂପେ କ୍ଷମତାସୀନ କରିବେ।