ନକ୍ସଲ କବଳରୁ ମୁକ୍ତ ଯବାନଙ୍କ ସହିତ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ରାୟପୁର,ଏଜେନ୍ସି: ନକ୍ସଲଙ୍କ କବଳରେ ୫ ଦିନ ରହିବା ପରେ ଗତକାଲି ମୁକୁଳିଥିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂହ ମାନହାସ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ତାଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି। ଅମିତ ଶାହା ଫୋନରେ ରାକେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରାଳୟର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ନକ୍ସଲଙ୍କ କବଳରୁ ମୁକ୍ତ ହୋଇଥିବା ରାକେଶ ମାନହାସ କୋବ୍ରା ବାଟାଲିୟନର ୨୧୦ରେ ଅଛନ୍ତି। ନକ୍ସଲମାନେ ଗତ ୩ ତାରିଖରେ ସୁକମା-ବିଜାପୁର ସୀମାରେ ଥିବା ଜଙ୍ଗଲରେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି ମାଡ କରିଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ୩୧ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥଲେ। ରାକେଶ ଆହତ ହୋଇ ଜଙ୍ଗଲରେ ନିଖୋଜ ହୋଇଯାଇଥିଲେ। ଏପ୍ରିଲ ୪ ତାରିଖ ଦିନ ନକ୍ସଲମାନେ ରାକେଶ୍ୱରଙ୍କୁ ଗୁରୁତର ଆହତ ହୋଇ ପଡ଼ିଥିବା ଦେଖିଥିଲେ ଏବଂ ସେମାନେ ନିଜ ତାଙ୍କୁ ନେଇଯାଇଥିଲେ। ରାକେଶକୁ ସେମାନେ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ।

ଏପ୍ରିଲ ୬ ତାରିଖ ଦିନ ନକ୍ସଲମାନେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ ଯେ, ରାକେଶ୍ୱର ନାଁରେ ଜଣେ ଯବାନଙ୍କୁ ନିଜ ଅକ୍ତିଆରରେ ରଖିଛନ୍ତି। ଏହା ପରେ ରାକେଶ୍ୱରକୁ ମୁକୁଳାଇବା ଲାଗି ବିଭିନ୍ନ ମହଲରେ ଉଦ୍ୟମ ଆରମ୍ଭ ହୋଇଥିଲା। ଶେଷରେ ରାକେଶ୍ୱର ଗୁରୁବାର ନକ୍ସଲଙ୍କ ଠାରୁ ମଧ୍ୟସ୍ଥିଙ୍କ ମାଧ୍ୟମରେ ମୁକୁଳି ଥିଲେ।