ଆସାମରେ ଶାହାଙ୍କ ରାଲି

ଦିଶପୁର,ଏଜେନ୍ସି: ଆସାମରେ ବିଜେପିକୁ ଆଉ ୫ ବର୍ଷ ଶାସନ ପାଇଁ ସୁଯୋଗ ମିଳିଲେ ରାଜ୍ୟକୁ ସମ୍ପୂର୍ଣ୍ଣ ବନ୍ୟା ମୁକ୍ତ କରାଯିବ। ନିର୍ବାଚନ ଅଭିମୁଖେ ଆସାମରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରି ରାଜ୍ୟବାସୀଙ୍କୁ ଏଭଳି ନିବେଦନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ନିର୍ବାଚନୀ ରାଲିରେ ଅଭିଭାଷଣ ବେଳେ ଶାହା କହିଥିଲେ ଯେ ବିଜେପି ସରକାରର ୫ ବର୍ଷ ଶାସନ କାଳ ଭିତରେ ରାଜ୍ୟକୁ ଗୁଳି ଏବଂ ବିଦ୍ରୋହ ମୁକ୍ତ କରାଯାଇଛି। ଆଉ ୫ ବର୍ଷ ଶାସନର ସୁଯୋଗ ମିଳିଲେ ରାଜ୍ୟକୁ ବନ୍ୟା ମୁକ୍ତ ପାଇଁ ଦଳ ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି।

ଆସାମରେ ଆସନ୍ତା ଏପ୍ରିଲରୁ ମେ’ମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଶାହାଙ୍କ ରାଲିରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ରାଲିରେ ଆସାମରେ ବିଜେପି ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।