ମେ’୩୧ ପରେ ଲକଡାଉନ ବୃଦ୍ଧିକୁ ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,ଏଜେନ୍ସି: ଦିନକ ପରେ ଲକଡାଉନ ୪.୦ ଅବଧି ଶେଷ ହେବାକୁ ଥିବା ବେଳେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ସେ ଦେଶବ୍ୟାପୀ ଲକଡାଉନକୁ ମେ’ ୩୧ ପରେ ବଢ଼ାଇବା ନେଇ ମତାମତ ନେଇଛନ୍ତି। ଶାହା ଲକଡାଉନର ୪ର୍ଥ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି।

ତେବେ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲକଡାଉନ ସର୍ବପ୍ରଥମେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିଲା ଏହାକୁ ୩ ଥର ବୃଦ୍ଧି କରାଯାଇଥିଲା। ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମକୁ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ଗୃହମନ୍ତ୍ରୀ ଶାହା ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି ଏବଂ ଲକଡାଉନ ମେ’ ୩୧ ପରେ ଲକଡାଉନ ବଢ଼ାଯିବା ନେଇ ମତାମତ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେବା ସମୟରେ ଶାହା ରାଜ୍ୟଗୁଡ଼ିକର ସମ୍ବେଦନଶୀଳ ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ଏଥି ସହିତ ଜୁନ ୧ ତାରିଖ ପରେ କେଉଁ ଅଞ୍ଚଳରେ କ’ଣ ଖୋଲାଯିବ, ସେ ନେଇ ଆଲୋଚନା କରିଥିଲେ।

କରୋନା ଭାଇରସ ମାମଲା ଲାଗାତାର ବଢ଼ିବାରେ ଲାଗିଛି। ତେଣୁ ଯାହା ଆକାଳନ କରାଯାଉଛି ଲକଡାଉନ ମେ’ ୩୧ ପରେ ମଧ୍ୟ ଆଗକୁ ବଢ଼ିପାରେ। ମାତ୍ର ଏଥିରେ ବର୍ତ୍ତମାନ ଅପେକ୍ଷା ଅଧିକ ନିୟମ କୋହଳ ହେବ। ସବୁଠାରୁ ବଡ଼ କଥା ହେଲା ଯେ, ଏପର୍ୟ୍ୟନ୍ତ ଲକଡାଉନ ଶେଷ ହେବା ପୂର୍ବରୁ ଅର୍ଥାତ ଲକଡାଉନ ଅବଧି ବୃଦ୍ଧି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କର ସହ କଥା ହୋଇଥାନ୍ତି। କିନ୍ତୁ ଏଥର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀମାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କର ଭିଡିଓ ବାର୍ତ୍ତା ସମୟରେ ଶାହା ମଧ୍ୟ ଉପସ୍ଥିତ ରହିଥାନ୍ତି।