ସିଏଏ ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ : ଅମିତ ଶାହ

ଉତ୍ତରପ୍ରଦେଶ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ଏହାକୁ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମଙ୍ଗଳବାର ଲକ୍ଷେ୍ନøରେ ଶାହ ଏକ ରାଲିରେ ଭାଗନେଇ କହିଛନ୍ତି, ମୁଁ ପୁନର୍ବାର କହିଦେବାକୁ ଚାହେଁ ସରକାର ସିଏଏ ସମ୍ପର୍କିତ ନିଷ୍ପତ୍ତିରୁ ଆଦୌ ଓହରିବେ ନାହିଁ। ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି ଶାହ କହିଛନ୍ତି, ସିଏଏ ସମ୍ପର୍କରେ ଅପପ୍ରଚାର କରାଯାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ସଂଶୋଧିତ ଆଇନରେ କାହାରି ନାଗରିକତା ଚାଲିଯିବାର ସାମାନ୍ୟତମ ଆଶଙ୍କା ନାହିଁ। କିନ୍ତୁ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ତୃଣମୂଳ କଂଗ୍ରେସ ସିଏଏ ସମ୍ପର୍କରେ ଅପପ୍ରଚାର କରୁଛନ୍ତି।

ସିଏଏ ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଦର୍ଶାଇ ଏଥିପାଇଁ ବିରୋଧୀଦଳଗୁଡ଼ିକ ଆଗେଇ ଆସିବାକୁ ଶାହ ଆହ୍ୱାନ ଦେଇଛନ୍ତି। ସେ ଖୋଲାଖୋଲି ଭାବେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଭଳି ଚାଲେଞ୍ଜ୍ ଦେଇଛନ୍ତି। ଶାହ କହିଛନ୍ତି, ରାହୁଲ ବାବା ଆଖି କାନ ଖୋଲାରଖି ଭଲଭାବରେ ଶୁଣନ୍ତୁ, ୧୯୪୭ରେ ତୁମ ଦଳ ଯେଉଁ ପାପ କରିଥିଲା ତା’ର ପରିଣାମସ୍ୱରୂପ ଦେଶ ଧର୍ମୀୟ ଭିତ୍ତିରେ ଖଣ୍ଡ ଖଣ୍ଡ ହୋଇଗଲା। ଏଥିଯୋଗୁଁ ପାକିସ୍ତାନ ଓ ବାଂଲାଦେଶରେ ହିନ୍ଦୁ, ଶିଖ୍, ବୌଦ୍ଧଧର୍ମାବଲମ୍ବୀଙ୍କ ସଂଖ୍ୟା ହ୍ରାସ ପାଇଲା। ସେମାନଙ୍କୁ ମାରିଦିଆଯାଇଛି କିମ୍ବା ସେମାନଙ୍କର ଧର୍ମାନ୍ତରୀକରଣ କରାଯାଇଛି ବୋଲି ଶାହ କହିଛନ୍ତି।