ଆମୀରଙ୍କ ଉପରେ ରାଗିଲେ ତନୁଶ୍ରୀ

ମିଷ୍ଟର ପରଫେକସନିଷ୍ଟ ଆମୀର ଖାନଙ୍କ ଉପରେ ରାଗିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଏଭଳି ରାଗିବା ପଛର କାରଣ ଜାଣନ୍ତି? ଆପଣଙ୍କର ତ ମନେଥିବ, ତନୁଶ୍ରୀ ଗତବର୍ଷ ‘ମି-ଠୁ’ ଅଭିଯାନ ଆରମ୍ଭ କରିଥିଲେ। ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂବେଳେ ସହ-କଳାକାର ନାନା ପାଟେକର ତାଙ୍କୁ ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ କରିଥିଲେ ତନୁଶ୍ରୀ। ତନୁଶ୍ରୀଙ୍କ ଏଭଳି ଅଭିଯୋଗ ପରେ ଆହୁରି ଅନେକ ଅଭିନେତ୍ରୀ ସହ-କଳାକାର, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗମାନ ଆଣିଥିଲେ। ଏହା ହିଁ ଥିଲା ‘ମିଠୁ’ ଆନ୍ଦୋଳନ।

ଅଭିଯୋଗ କରିଥିବା ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଗୀତିକା ତ୍ୟାଗୀ। ଗୀତିକା ନିର୍ଦ୍ଦେଶକ ସୁଭାଷ କପୁରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହି ସୁଭାଷ କପୁରଙ୍କ ନିର୍ଦ୍ଦେଶନାରେ ବର୍ତ୍ତମାନ କାମ କରିବାକୁ ଯାଉଛନ୍ତି ଆମୀର। କିଛି ଦିନ ତଳେ ଆମୀର ଘୋଷଣା କରିଥିଲେ ଯେ, ସେ ଏକ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି।

ଏବେ ସେ ସ୍ପଷ୍ଟ କରିଛନ୍ତି, ଏହି ଫିଲ୍ମଟି ଗୁଲସନ କୁମାରଙ୍କ ଜୀବନ କାହାଣୀକୁ ନେଇ ତିଆରି ହେଉଛି ଓ ଏହାର ନାଁ ରଖାଯାଇଛି ‘ମୋଗୁଲ’। ଏ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଭାଷ କପୁର। ଏକଥା ଜାଣିବା ପରେ କ୍ରୋଧ ରୋକିପାରି ନାହାନ୍ତି ତନୁଶ୍ରୀ। ଆମୀରଙ୍କୁ ସେ ତାତ୍ସଲ୍ୟ କରି କହିଛନ୍ତି, ‘ଏମିତିରେ ତ ବଲିଉଡ୍ରେ ଜଣେ ମହିଳା ଦୁର୍ବ୍ୟବହାରର ଶୀକାର ହେଲେ କାହାକୁ ବି ନିଦ ହୁଏନି। ମାତ୍ର ବଡ଼ ବଡ଼ କଥା କହୁଥିବା ଷ୍ଟାରମାନେ ଯେତେବେଳେ ଜଣେ ଅଭିଯୁକ୍ତ ସହିତ କାମ କରିବାକୁ ରାଜି ହୋଇଯାଆନ୍ତି, ଅଦ୍ଭୂତ ଲାଗେ।

ନିଜ ଆଡ଼କୁ ଇସାରା କରି ତନୁଶ୍ରୀ ଆହୁରି କହିଛନ୍ତି, ଯଦି କୌଣସି ବ୍ୟକ୍ତିକୁ କାମ ମିଳୁନି ବୋଲି ଆପଣଙ୍କର ଦୟା ହେଉଛି, ତେବେ ସେ ଦୟା ଭାବନାଟି ସାର୍ବଭୌମିକ ଅର୍ଥାତ୍ ସମସ୍ତଙ୍କ ପାଇଁ ହେବା ଉଚିତ। ଯେତେବେଳେ ମତେ କାମ ମିଳିଲାନି ଏବଂ ମୁଁ ଘରେ ବସିଥିଲି, ସେତେବେଳେ କେହି ଜଣେ ବି ଜାଣିବାକୁ ଚେଷ୍ଟା କଲେନାହିଁ ଯେ ମୁଁ କେମିତି ଅଛି। ‘ହର୍ଣ୍ଣ ଓକେ ପ୍ଲିଜ’ ସେଟର ଘଟଣା ପରେ ମୋ ଉପରେ ତ କାହିଁ କାହାର ଦୟା ହେଲାନି ଆମୀର? ଏବେ ଦେଖିବା ବାକି ରହିଲା, ତନୁଶ୍ରୀଙ୍କ ଏଭଳି ପ୍ରତିକ୍ରିୟାର କ’ଣ ଉତ୍ତର ରଖୁଛନ୍ତି ଆମୀର।