‘ଆଝାର ଓ ହାଫିଜ’ ଆତଙ୍କୀ ଘୋଷଣାକୁ ଆମେରିକାର ସମର୍ଥନ

ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଲସ୍କର-ଇ-ତୋଏବା ମୁଖ୍ୟ ହାଫିଜ୍ ସୟିଦ୍, ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର, ଜାକିଉର ରହମନ ଲଖ୍ଭି ଓ ଦାଉଦ୍ ଇବ୍ରାହିମଙ୍କୁ ଭାରତ ଆତଙ୍କବାଦୀ ଘୋଷଣା କରିଥିବାରୁ ଆମେରିକା ଏହାକୁ ଦୃଢ଼ ସମର୍ଥନ କରିଛି।

ଆମେରିକାର ଦକ୍ଷିଣ ଓ କେନ୍ଦ୍ର ଏସିଆ ଦାୟିତ୍ୱରେ ଥିବା ଅସ୍ଥାୟୀ ସହକାରୀ ସଚିବ ଆଲିସ୍ ଜି ୱେଲ୍ସ ଟୁଇଟରରେ କହିଛନ୍ତି ଭାରତ ଏହି ୪ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିବା ସ୍ୱାଗତଯୋଗ୍ୟ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ସଂଶୋଧିତ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ବଳରେ ଏହି ୪ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଆଇନରେ ସଂଶୋଧନ ପୂର୍ବରୁ କେବଳ ସଂଗଠନକୁ ଏଭଳି ଘୋଷଣା କରାଯାଇ ପାରୁଥିଲା। ଏବେ ଆଇନରେ ସଂଶୋଧନ ପରେ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇପାରିବ।