ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ ଓ ବାଇଡେନ୍ ମଧ୍ୟରେ କଡା ମୁକାବିଲା

ୱାସିଂଟନ,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ସମଗ୍ର ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଆମେରିକାର ୫୯ତମ ଚତୁବର୍ଷିୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏଥର ଆମେରିକାରେ ଜଟିଳ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଏବଂ ପ୍ରାୟ ୧୦ କୋଟି ଭୋଟର୍‌ ପୋଷ୍ଟାଲ ଇ-ବ୍ୟାଲଟ୍‌ ଦ୍ବାରା ମତଦାନ କରିଥିବାରୁ ଚୂଡ଼ାନ୍ତ ପରିଣାମ ଆସିବାରେ ବିଳମ୍ବ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ପରିଣାମରୁ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଅଗ୍ରଣୀ ଥିଲେ ମଧ୍ୟ ରିପବ୍ଳିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିର୍ବାଚନରେ ନିଜର ବିଜୟ ଘୋଷଣା କରିଛନ୍ତି। ଗଣତି ସରିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ଏଭଳି ପଦକ୍ଷେପ ବିଭିନ୍ନ ମହଲକୁ ବିସ୍ମିତ କରିଛି। କେତେକ ରାଜ୍ୟରେ ‘ଭୋଟ୍‌ ଜାଲିଆତି’ ହୋଇଥିବା ଅଭିଯୋଗ ଆଣି ଟ୍ରମ୍ପ୍‌ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅଦାଲତ ପ୍ରକ୍ରିୟାରେ ଛନ୍ଦି ହୋଇଯିବା ଆଶଙ୍କା ମଧ୍ୟ ରହିଛି।

ଆଜି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହେବାମାତ୍ରେ ଗଣତି ତ୍ବରାନ୍ବିତ ହୋଇଥିଲା। ଉପଲବ୍ଧ ତଥ୍ୟ ମୁତାବକ ଜୋ ବାଇଡେନ୍‌ ୨୬୪ଟି ଇଲେକ୍ଟୋରାଲ ଭୋଟ୍‌ ପାଇଥିବା ବେଳେ ଡୋନାଲ୍‌ଡ ଟ୍ରମ୍ପ୍‌ ୨୧୪ଟି ଭୋଟ୍‌ ହାସଲ କରିଛନ୍ତି। ତେବେ ଚୂଡ଼ାନ୍ତ ପରିଣାମ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ। ମୋଟ୍‌ ଇଲେକ୍ଟୋରାଲ ଭୋଟ୍‌ ୫୩୮ ରହିଥିବା ବେଳେ ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ପ୍ରମୁଖ ରାଜ୍ୟ ‌ଫ୍ଲୋରିଡା, ଓହିଓ, ପେନ୍‌ସିଲଭାନିଆ, ମିଚିଗାନ୍‌, ନର୍ଥକାରୋଲିନାରେ ଟ୍ରମ୍ପ୍‌ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୱିସକନ‌ସିନ‌ରେ ବିଡେନ୍‌ ଆଗୁଆ ଅଛନ୍ତି।