ଆମେରିକାକୁ ସହଯୋଗ କରି ପାକିସ୍ତାନ ଭୁଲ କରିଛି : ଇମ୍ରାନ

ନ୍ୟୁୟର୍କ, ଏଜେନ୍ସି : ୨୦୦୧ରେ ଆମେରିକାରେ ୯/୧୧ ହମଲା ପରେ ପାକିସ୍ତାନ ନିରପେକ୍ଷ ରହିବା ଉଚିତ ଥିଲା। ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଆମେରିକାର ପକ୍ଷ ନେଇ ପାକିସ୍ତାନ ଏକ ଭୁଲ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ନ୍ୟୁୟର୍କରେ ବୈଦେଶିକ ସମ୍ପର୍କ ପରିଷଦ (ସିଏଫଆର)ରେ ଯୋଗଦେଇ ଇମ୍ରାନ କହିଛନ୍ତି, ଆଫଗାନିସ୍ତାନରେ ଆମେରିକାର ଆତଙ୍କୀ ବିରୋଧୀ ଅଭିଯାନରେ ପାକିସ୍ତାନ ସାମିଲ ହେବା ଉଚିତ ନଥିଲା। ୮୦ ଦଶକରେ ଯେତେବେଳେ ତତ୍କାଳୀନ ସୋଭିଏତ୍ ସଂଘ ଆଫଗାନିସ୍ତାନ ଉପରେ ଆକ୍ରମଣ କଲା, ପାକିସ୍ତାନ ଆମେରିକାକୁ ସାହାଯ୍ୟ କଲା ଏବଂ ସୋଭିଏତ ସଂଘ ବିରୋଧରେ ବାହାରିଲା।

ପାକ ସାମରିକ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ତାଲିମପ୍ରାପ୍ତ ଆତଙ୍କବାଦୀମାନଙ୍କୁ ସେହି ସମୟରେ ସୋଭିଏତ ବିରୋଧରେ ଜିହାଦ ପାଇଁ ସମଗ୍ର ମୁସଲିମ ଜଗତ ଆହ୍ୱାନ ଦେଇଥିଲେ। ଏହିଭଳି ଭାବରେ ଆମେ ସୋଭିଏତ ବିରୋଧରେ ଲଢ଼ିବା ପାଇଁ ଆତଙ୍କୀ ଗ୍ରୁପ ସୃଷ୍ଟି କରିଥିଲୁ। ସେତେବେଳେ ଜିହାଦିମାନଙ୍କୁ ପ୍ରକୃତ ହିରୋ ଭାବେ ଗଣାଯାଉ ଥିଲା। ୧୯୮୯ରେ ସୋଭିଏତ ସଂଘ ଆଫଗାନିସ୍ତାନ ଛାଡ଼ି ପଳାଇବାରୁ ଆମେରିକା ତା’ର ପେଡ଼ିପୁଟୁଳା ବାନ୍ଧି ଆଫଗାନିସ୍ତାନ ଛାଡ଼ି ପଳାଇଲା। ଏହି ଆତଙ୍କୀ ଗୋଷ୍ଠୀ ସହ ଆମେ କେବଳ ସେଠାରେ ପଡ଼ିରହିଲୁ। ଏହାପରେ ଘଟିଲା ୯/୧୧ ହମଲା। ପାକିସ୍ତାନ ପୁଣି ଆମେରିକାର ଆତଙ୍କୀ ବିରୋଧୀ ଅଭିଯାନରେ ଯୋଗଦେଲା ବୋଲି ଇମ୍ରାନ ଏଠାରେ କହିଛନ୍ତି। ପାକିସ୍ତାନ ଯାହା କରିନପାରିବ, ତାହା କରିବ ବୋଲି ସଂକଳ୍ପ କରିବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି। ୨୦୦୧ରେ ଆମେରିକାର ଆକ୍ରମଣ ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ସରକାରକୁ ଯେଉଁ ତିନିଟି ଦେଶ ସେତେବେଳେ ସ୍ୱୀକୃତି ପ୍ରଦାନ କରିଲେ, ସେଥିମଧ୍ୟରେ ପାକିସ୍ତାନ ଥିଲା ଅନ୍ୟତମ।