ପୁଣି ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଲା ଆମେରିକା, କାଶ୍ମୀର ପାଇଁ ଟ୍ରମ୍ପଙ୍କ ଶରଣ ପଶିଲେ ଇମ୍ରାନ

ଜାମ୍ମୁ-କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ତାହା କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ଏହାକୁ ନେଇ ପାକିସ୍ତାନର ଚିନ୍ତା ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣ ପଶିଛନ୍ତି। କାଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ ସେ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି। ଏବଂ ଟ୍ରମ୍ପ ମଧ୍ୟ ସହାୟତା କରିବା ପାଇଁ କହିଛନ୍ତି। ଏ ନେଇ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଟ୍ରମ୍ପ କହିଛନ୍ତି ଯେ ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ । କାଶ୍ମୀର ପ୍ରସଙ୍ଗରେ ଉଭୟ ଭାରତ ଓ ପାକିସ୍ତାନକୁ ଆମେରିିକା ହିଁ ଉପଯୁକ୍ତ ସହାୟତା ଦେଇପାରିିବ ଏବଂ ଏଥିପାଇଁ ଆମେରିକା ସବୁବେଳେ ପ୍ରସ୍ତୁତ ରହିଛି ବୋଲି ଟ୍ରମ୍ପ କହିଛନ୍ତି । କାଶ୍ମୀର ପ୍ରସଙ୍ଗ ଉପରେ ଆମେରିକା ଅହରହ ନଜର ରଖିଛି ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ହ୍ରାସ ପାଇଁ କରାଯାଉଛି ବୋଲି ଟ୍ରମ୍ପ ମତ ରଖିଛନ୍ତି ।

ଡାଭୋସରେ ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ସମ୍ମିଳନୀରେ ଇମ୍ରାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଟ୍ରମ୍ପ ଏଭଳି ମତ ରଖିଛନ୍ତି । କାଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ପୂର୍ବରୁ ମଧ୍ୟ ଟ୍ରମ୍ପ ଅନେକ ଥର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି । କାଶ୍ମିର ପ୍ରସଙ୍ଗରେ ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଗ୍ରହଣ କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିସାରିଛି । ଆସନ୍ତା ମାସରେ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଟ୍ରମ୍ପ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି ।