କଣ୍ଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ : ୩ ମୃତ, ୩ ଗୁରୁତର

ଟାଙ୍ଗୀ,ଏନ୍ଏନ୍ଏସ୍: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ଛିଡ଼ା ହୋଇଥିବା ଏକ କଣ୍ଟେନର ପଛରେ ଆମ୍ବୁଲାନ୍ସ ପିଟି ହେବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଆମ୍ବୁଲାନ୍ସଟି ରୋଗୀ ନେଇ ମେଦିନାପୁରରୁ କଟକ ବଡ଼ ମେଡିକାଲ ଯାଉଥିବା ସମୟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଓ ପାଖ ସିଟରେ ବସିଥିବା ଯୁବକ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିସହ ଆମ୍ବୁଲାନ୍ସରେ ଥିବା ଜଣେ ରୋଗୀ, ଜଣେ ମହିଳା ଓ ୩ବର୍ଷ ଛୁଆର ଜୀବନ ସଙ୍କଟାପୂର୍ଣ୍ଣ ରହିଛି। ପ୍ରଥମେ କିଛି କମ୍ପାନୀ କର୍ମଚାରୀ ଦୁର୍ଘଟଣା ଦେଖି ତରନ୍ତ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଚାପି ହୋଇ ରହିଯାଇଥିବା ଡ୍ରାଇଭର ସହ ଅନ୍ୟ ଜଣେ ଯୁବକକୁ ବାହାର କରିବା ସମ୍ଭବ ନ ହେବାରୁ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଟାଙ୍ଗୀ ପୁଲିସ, ଅଗ୍ନିଶମ ବିଭାଗ ଓ ଏନଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଁଚି କଟର ସାହାଯ୍ୟରେ ଗାଡ଼ିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରକୁ ଆମ୍ବୁଲାନ୍ସ ଭିତରୁ ବାହାର କରି ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲେ। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି।