ରେଳ ଫାଟକ ବନ୍ଦ ଯୋଗୁ ଅଟକିଲା ଆମ୍ବୁଲାନ୍ସ, ଓଭରବ୍ରିଜ ନିର୍ମାଣ ପାଇଁ ଦାବି କଲେ ସ୍ଥାନୀୟ ଲୋକେ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକକୁ ପ୍ରତିଦିନ ହଜାର ହଜାର ଲୋକେ ବିଭିନ୍ନ କାର୍ୟ୍ୟ ପାଇଁ ଆସିଥାନ୍ତି। ହେଲେ ରେଳ ଫାଟକ ବନ୍ଦ ହେବା ଦ୍ଵାରା ଲୋକେ ଟାଣ ଖରାରେ ଦୀର୍ଘ ସମୟ ଅପେକ୍ଷା କରି ଫାଟକ ପାର ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛିି। ଆଜି ଆମ୍ବୁଲାନ୍ସ ଯୋଗେ ଜଣେ ରୋଗୀଙ୍କୁ ସଇଁନ୍ତଳା ଡାକ୍ତରଖାନାରୁ ଫେରାଇ ଅଣାଯାଉ ଥିବାବେଳେ ଏକ କୋଇଲା ମାଲବାହୀ ଟ୍ରେନ ଆସିବାରୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଏନେଇ ଗୁରୁତର ରୋଗୀଙ୍କ ପରିବାର, ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା। ତେବେ ଏକ ଓଭରବ୍ରିଜ ନିର୍ମାଣ କରାଗଲେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଫାଟକ ପଡ଼ିବା ଦ୍ଵାରା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେଥିପାଇଁ ଏକ ଓଭରବ୍ରିଜ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଗାମୀ ଦିନରେ ଓଭରବ୍ରିଜ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଆଇନଜୀବୀ ଜପେଶ୍ୱର ଯାନୀ, ସଇଁନ୍ତଳା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡଵ ସାହୁ, ବଲାଙ୍ଗିର ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା ଓ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।