ବିଶ୍ୱର ଶ୍ରେଷ୍ଠ ୧୦୦ ବ୍ରାଣ୍ଡ୍ ମଧ୍ୟରେ ଆମାଜନ୍ ପ୍ରଥମ

ଆସନ୍ତା ୩ ବର୍ଷରେ ସ୍ଥାନ ପାଇପାରେ ଜିଓ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ଆଗାମୀ ୩ ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ଶ୍ରେଷ୍ଠ ୧୦୦ ମୂଲ୍ୟବାନ ବ୍ରାଣ୍ଡ୍ ଭିତରେ ସ୍ଥାନ ପାଇବ ବୋଲି ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ତର୍ଜାତିକ ଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଡବ୍ଲ୍ୟୁପିପି ଏବଂ ବଜାର ଗବେଷଣା ସଂସ୍ଥା କାନ୍ତାର ମିଲ୍ୱାର୍ଡ ବ୍ରାଉନ୍ ତରଫରୁ ପ୍ରକାଶିତ “ବିଶ୍ୱର ଶ୍ରେଷ୍ଠ ୧୦୦ ମୂଲ୍ୟବାନ ବ୍ରାଣ୍ଡ୍ ୨୦୧୯ ରିପୋର୍ଟ’ରେ ଆମାଜନ୍ କୁ ବିଶ୍ୱର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ମାନ୍ୟତା ମିଳିଛି। ଏହା ପଛକୁ ଆପଲ ଏବଂ ଗୁଗୁଲ୍ ର ନାମ ରହିଛି।

ଏହି ତାଲିକାରେ ନୂତନ ଭାବେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଏବଂ ଟାଟା କନସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ) ପ୍ରବେଶ କରିଛନ୍ତି। ଏହି ରିପୋର୍ଟରେ ବିଶ୍ୱର ଶ୍ରେଷ୍ଠ ୧୦୦ ଭିନ୍ନତା ସୃଷ୍ଟିକାରୀ (ଡିସର୍ପଟିଭ୍ ପାୱାର) ବ୍ରାଣ୍ଡ୍ ରୂପେ ଜିଓକୁ ସ୍ଥାନ ମିଳିଛି।

ରିପୋର୍ଟରେ କୁହାଯାଇଛି ଯେ ଡାଟା ବ୍ୟବହାର ପାଇଁ ଅତ୍ୟଧିକ ରିହାତିଭିତ୍ତିକ ମୂଲ୍ୟ ପ୍ରଦାନ କରି ଜିଓ ଭାରତୀୟ ଟେଲିକମ୍ ସେବା ପ୍ରଦାନକାରୀ ବର୍ଗରେ ବୈପ୍ଳବିକ ଭିନ୍ନତା ସୃଷ୍ଟି କରିପାରିଛି। ଏହାଦ୍ୱାରା ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନେ ଡାଟା ଦର ହ୍ରାସ କରିବାକୁ ବାଧ୍ୟ ହେବା ସହିତ ଏ କ୍ଷେତ୍ରରେ ଏକତ୍ରୀକରଣ ସମ୍ଭବ ହୋଇଛି। ସେହିପରି ଜିଓର ଏହି ପଦକ୍ଷେପ ଯୋଗୁଁ କେବଳ ଜିଓର ଗ୍ରାହକ ନୁହେଁ, ବରଂ ସମସ୍ତ ଟେଲିକମ୍ ଗ୍ରାହକ ବେଶ୍ ଉପକୃତ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।