ଶ୍ରୀନଗର,ଏଜେନ୍ସି: କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ପବିତ୍ର ଗୁମ୍ଫାକୁ ଭକ୍ତମାନେ ଗସ୍ତ କରିଛନ୍ତି। ବିଗତ ୨ ବର୍ଷ ପରେ ଭକ୍ତମାନେ ବରଫ ଲିଙ୍ଗ ଦେଖିପାରୁ ଥିବାରୁ ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି। ଭକ୍ତମାନେ ପାହାଡ଼କୁ ଚଢୁଥିବା ବେଳେ ହର ହର ମହାଦେବ୍, ବମ୍ ବମ୍ ଭୋଲେ ଆଦି ଶ୍ଲୋଗାନ ଦେଉଛନ୍ତି।
ଅମରନାଥ ଯାତ୍ରୀଙ୍କ ପାଇଁ ଜମ୍ମୁ କଶ୍ମୀର ପୋଲିସ ଓ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅମରନାଥ ଯାତ୍ରା ପଥରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ସେନା ମଧ୍ୟ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିଛି। ଜଣେ ଭକ୍ତ କହିଛନ୍ତି ଯେ, ଅମରନାଥ ଯାତ୍ରାରେ ସାମିଲ ହୋଇ ନିଜକୁ ବହୁତ ଖୁସି ଅନୁଭବ କରୁଛି। ବାବା ଭୋଲେନାଥଙ୍କ ଦର୍ଶନକୁ ଅପେକ୍ଷା କରିଛି।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଭୋର ସକାଳୁ ଜମ୍ମୁସ୍ଥିତ କ୍ୟାମ୍ପରୁ ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଦେଇଥିଲେ। ଦୁଇ ବର୍ଷ ପରେ ଜୁନ ୩୦ରେ ଆରମ୍ଭ ହେଇଥିବା ଅମରନାଥ ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀମାନେ ଜମ୍ମୁ ପହଞ୍ଚିଥିଲେ। ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ, ଆମେ ବାବା ଭୋଲେନାଥଙ୍କ ପୂଜାର୍ଚ୍ଚନା କରିବା ଲାଗି ୨ ବର୍ଷ ହେଲା ଅପେକ୍ଷା କରିଥିଲୁ। ଏବେ ଅମରନାଥ ଯାତ୍ରାରେ ସାମିଲ ହେବାକୁ ଯାଉଥିବାରୁ ବହୁତ ଖୁସି ଅନୁଭବ କରୁଛୁ। ସୂଚନାଯୋଗ୍ୟ, ଚଳିତ ଥର ଅମରନାଥ ଯାତ୍ରାରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇପାରନ୍ତି। ୪୩ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ।