ଖାଁ ଖାଁ ଅମଲାଭଟା ଗାଁ: ହାତବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗର

ରାୟଗଡ଼ା,ଏନ୍ଏନ୍ଏସ୍: ପାର୍ବଣ ଋତୁ ଆସିଲେ  ମାଟି ମୂର୍ତ୍ତି ପାଇଁ ଯେଉଁ ଗାଁରେ ପ୍ରତିଦିନ ଗହଳି ଲାଗେ ସେଠି ଆଜି ନିରବତା। କରୋନା ଉଜାଡି ଦେଇଛି କାରିଗରଙ୍କ ବେଉସା।  ରାୟଗଡ଼ା ଜିଲ୍ଲାର ଅମଲାଭଟା ଗାଁର ମୂର୍ତ୍ତି କାରିଗରମାନେ ଏବେ ହାତବାନ୍ଧି ବସିଛନ୍ତି। ଏଠି ଜଣେ କି ଦୁଇ ଜଣ ନୁହେଁ ବରଂ ଗାଁର ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି କାମରେ ନିମଗ୍ନ ରହିଥାନ୍ତି।

ହେଲେ ଚଳିତବର୍ଷ ଜିଲ୍ଲାପ୍ରଶାସନର କଟକଣା ସହ ଲକଡ଼ାଉନ ଓ ସଟଡ଼ାଉନ ସାଙ୍ଗକୁ କରୋନାର ଭୟରେ ନା ଗାଁକୁ କେହି ଆସୁନାହାଁନ୍ତି କି ବାହାରକୁ କେହି ଯାଇପାରୁ ନାହାଁନ୍ତି। ଫଳରେ ଯେଉଁଠି ଗାଁର ୧୦୦ ପରିବାର ମାଟିମୂର୍ତ୍ତି କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ ସେଠି ଏବର୍ଷ ହାତ ଗଣତି ୧୦ ରୁ ୧୨ ଟି ପରିବାର ମୂର୍ତ୍ତି ତିଆରି କରୁଛନ୍ତି। ଏଠାକାର ଅଧିକାଂଶ ଗ୍ରାମବାସୀ କୁମ୍ଭକାର ସମ୍ପଦାୟର। ମାଟିରେ ବିଭିନ୍ନ ଜିନିଷ ତିଆରି କରି ବଜାରରେ ବିକ୍ରି କରିବା ଏମାନଙ୍କ କୁଳବେଉସା। ସମୟକ୍ରମେ ମାଟି ଜନିଷର ଚାହିଦା କମୁ ଥିବାରୁ ରୋଜଗାର ମଧ୍ୟ କମି ଯାଉଛି।

ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁନାହିଁ। ପ୍ରତିବର୍ଷ ରାୟଗଡ଼ା ସମେତ କଳାହାଣ୍ଡି, ଗଜପତି, ପଡୋଶୀ ରାଜ୍ୟର ବିଶାଖାପାଣା, ବିଜୟନଗରମ ଏବଂ ଶ୍ରୀକାକୁଲମ ଜିଲ୍ଲାରେ ଅମଲାଭଟା ଗ୍ରାମର ମୂର୍ତ୍ତି ବେସ ଚାହିଦା ରହିଥାଏ ବୋଲି କହିଛନ୍ତି କାରିଗର ଶଙ୍କର ରାଓ। ତେବେ ଚଳିତବର୍ଷ କରୋନା ଯୋଗୁଁ ବ୍ୟବସାୟ ଠପ ପଡିଥିବାରୁ ଜିଲ୍ଲା ପ୍ରଶାସନ ସହାୟତା କରିବାକୁ କାରିଗରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।