ଆଜିଠାରୁ ଡିଡିରେ ‘ଆମ ଘର ଆମ ହାଣ୍ଡିଶାଳ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଓଟିଡିସି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ। ଆମ ଘର ଆମ ହାଣ୍ଡିଶାଳ ନାଁରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଦୂରଦର୍ଶନରେ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି।

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଦେଶ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ଛପନଭୋଗୀ। ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ରୁଚି ପ୍ରତି ବିଶେଷ ଆଦର ରହିଛି। ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି ଜଣାଇଛନ୍ତି। ଓଡ଼ିଆ ଖାଦ୍ୟ ରୁଚିର ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶା ବାହାରୁ ଆସୁଥିବା ଅତିଥିମାନଙ୍କୁ କେବଳ ଓଡ଼ିଆ ଖାଦ୍ୟ ପରଷି ଥାଏ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ଗୁରୁତ୍ୱକୁ ବଢ଼ାଇବା ସହ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଦିଗରେ ସହାୟକ ହୋଇପାରିବ। ଏହା ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସାଢ଼େ ୧ଟାରେ ପ୍ରସାରିତ ହେବ।