ନୂଆଦିଲ୍ଲୀ: ୬୯ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଏହି ଆୱାର୍ଡ ୨୦୨୧ରେ ରିଲିଜ ହୋଇଥିବା ଫିଲ୍ମକୁ ଦିଆଯାଇଛି । ଏଥିରେ ଅଲ୍ଲୁ ଅର୍ଜୁନ ‘ପୁଷ୍ପା’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ‘ଗଙ୍ଗୁବାଈ କାଠିୟାବାଡ଼ୀ’ ପାଇଁ ଆଲିଆ ଭଟ୍ଟ ଏବଂ ‘ମିମି’ ପାଇଁ କ୍ରିତି ସେନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି । ‘ସର୍ଦ୍ଦାର ଉଦ୍ଦମ ସିଂ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ହୋଇଥିବାବେଳେ ‘ରକେଟରୀ’ ଶ୍ରେଷ୍ଠ ଫିଚର ଫିଲ୍ମ ହୋଇଛି । ‘ଦି କଶ୍ମୀର ଫାଇଲ୍ସ’ ପାଇଁ ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ଏବଂ ‘ମିମି’ ପାଇଁ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହଅଭିନେତା ବିବେଚିତ କରାଯାଇଛି ।
ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ଶ୍ରେୟା ଘୋଷାଲ ଓ କାଳ ଭୈରବଙ୍କୁ ଚୟନ କରାଯାଇ ଥିବାବେଳେ ‘ପୁଷ୍ପା’ ପାଇଁ ଦେବୀଶ୍ରୀ ପ୍ରସାଦ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ହୋଇଛନ୍ତି । ସେହିପରି ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ହୋଇଥିବାବେଳେ ‘ଛେଲେ ଶୋ’ ଶ୍ରେଷ୍ଠ ଗୁଜରାତୀ ଫିଲ୍ମ ଓ ‘୭୭୭ ଚାର୍ଲି’କୁ ଶ୍ରେଷ୍ଠ କନ୍ନଡ଼ ଫିଲ୍ମ ଭାବେ ଚୟନ କରାଯାଇଛି ।