ପ୍ରଥମ ଆମେରିକୀୟ ଭାବେ ଆଇପିଏଲ୍‌ ଖେଳିପାରନ୍ତି ଅଲ୍ଲୀ ଖାଁ

ଆବୁଧାବି,ଏଜେନ୍ସି: ପ୍ରଥମ ଥର ପାଇଁ ଆମେରିକାର ଜଣେ କ୍ରିକେଟର ଆଇପିଏଲରେ ଖେଳିବେ ବୋଲି କୁହାଯାଉଛି। କୋଲକାତା ନାଇଟ ରାଇଡର୍ସ (କେକେଆର୍‍) ସପକ୍ଷରେ ଥିବା ଇଂଲଣ୍ଡର ପେସ୍‍ ବୋଲର ହ୍ୟାରି ଗର୍ନି ଆହତ ହୋଇ ଆଇପିଏ୍‍ଲରୁ ଓହରି ଯାଇଥିବାରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାଁଙ୍କୁ ବଦଳ ଖେଳାଳି ଭାବେ ନେବା ପାଇଁ କେକେଆର୍‍ ଆଇପିଏଲ୍‍ ପରିଚାଳନା ପରିଷଦକୁ ଅପିଲ କରିଛି।

୨୯ ବର୍ଷ ବୟସ୍କ ଅଲ୍ଲୀ ଖାଁ ଆଇପିଏଲ୍‍ ଓ ବିବିଏଲ୍‍କୁ ଛାଡ଼ି ବିଶ୍ୱର ଅନ୍ୟ ସମସ୍ତ ପେସାଦାର ଟ୍ୱେଣ୍ଟି୨୦ ଲିଗ୍‍ ଖେଳି ସାରିଛନ୍ତି। ସେ ୩୬ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‍ ଖେଳି ୩୮ଟି ୱିକେଟ ନେଇଛନ୍ତି। ଅଲ୍ଲୀ ଖାଁ କ୍ୟାରିବିୟାନ୍‍ ପ୍ରିମିୟର ଲିଗ୍‍ (ସିପିଏଲ୍‍)ରେ ଚଳିତବର୍ଷ ତ୍ରିନବାଗୋ ନାଇଟ ରାଇଡର୍ସ ପାଇଁ ଖେଳିଥିଲେ। ତ୍ରିନବାଗୋ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଅଲ୍ଲୀ ଖାଁ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ୱିକେଟ ନେଇଥିଲେ। ଗତବର୍ଷ ମଧ୍ୟ ଅଲ୍ଲୀ ଖାଁଙ୍କୁ ଦଳରେ ସାମିଲ କରିବା ପାଇଁ କେକେଆର୍‍ ପ୍ରୟାସ କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା।

୨୦୧୮ରେ କାନାଡାରେ ଖେଳାଯାଇଥିବା ଗ୍ଲୋବାଲ ଟି-୨୦ ଲିଗରେ ଅଲ୍ଲୀ ଖାଁଙ୍କ ପ୍ରତିଭା ଦେଖିଥିଲେ ଡ୍ୱେନ୍‍ ବ୍ରାଭୋ ଏବଂ ତାଙ୍କୁ ସିପିଏଲ୍‍ ଖେଳିବାକୁ ଆଣିଥିଲେ। ଗତବର୍ଷ ଅଲ୍ଲୀ ଖାଁ ସିପିଏଲ୍‍ର ଅଲ୍‍ଷ୍ଟାର୍‍ ଦଳ ପାଇଁ ଖେଳିଥିଲେ। ଗତବର୍ଷ ସିପିଏଲରେ ଅଲ୍ଲୀ ଖାଁ ଗାୟନା ଆମାଜନ୍‍ ୱାରିଅର୍ସ ପାଇଁ ୧୨ଟି ମ୍ୟାଚ୍‍ ଖେଳି ସର୍ବାଧିକ ୧୬ଟି ୱିକେଟ ନେଇଥିଲେ। ଅଲ୍ଲୀ ଖାଁ ଘଣ୍ଟାକୁ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରନ୍ତି ଏବଂ ୟର୍କର ପକାଇ ପାରନ୍ତି।