ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଚିତ୍ରକୋଣ୍ଡା ବନ୍ଦ ଡକାରା ଦିଆଯାଇଥିଲା। ସୂଚନା ଅନୁସାରେ, ଚିତ୍ରକୋଣ୍ଡା ସାଇମନ୍ଦିର ପଛ ସାହିର ବିଜୁ ନାୟକ(୨୯) ଗତକାଲି ସନ୍ଧ୍ୟାରେ ଚିତ୍ରକୋଣ୍ଡା ଖେଳପଡ଼ିଆରେ କ୍ରିକେଟ ଖେଳ ଦେଖୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଲାଲ ବାହାଦୂର ଶାସ୍ତ୍ରୀ କ୍ଲବର ଯୁବକମାନେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏହି ସମୟରେ କେବଳ ଆଟେଣ୍ଡାଣ୍ଟକୁ ଛାଡ଼ି ଡାକ୍ତର ଓ ନର୍ସ ଅନୁପସ୍ଥିତ ଥିଲେ। ଧିରେ ଧିରେ ଯନ୍ତ୍ରଣା ବୃଦ୍ଧି ପାଇବାରୁ ଆଟେଣ୍ଡାଣ୍ଟ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ  ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଠିକ୍ ସମୟରେ ଚିକିତ୍ସା  ନ ମିଳିବାରୁ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ କରି କ୍ଲବର ସଦସ୍ୟ ଓ ପରିବାର ବର୍ଗ ଅଭିଯୋଗ କରିବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଲାଗି ରହିଥିଲା।

ପରେ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ପହଞ୍ଚି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ମୃତ ବିଜୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଲାଲ ବାହାଦୂର ଶାସ୍ତ୍ରୀ କ୍ଲବ୍ ପକ୍ଷରୁ ଆଜି ଚିତ୍ରକୋଣ୍ଡା ବନ୍ଦ ଡାକରା ଦିଆଯାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ମାଲକାନଗିରି ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟଅଧିକାରୀ (ପରିବାର କଲ୍ୟାଣ) ଡା.ଧନେଶ୍ୱର ମହାପାତ୍ର ଚିତ୍ରକୋଣ୍ଡା ଗସ୍ତକରି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ବୁଝାସୁଝା କରିଥିଲେ। ରେଡକ୍ରସ୍ ପାଣ୍ଠିରୁ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ସହ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବାସହ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।